ପୋଲ ଉପରୁ କମିଲା ପାଣି: ଜୁନାଗଡ଼-ଧର୍ମଗଡ଼ ରାଜପଥରେ ଗଡ଼ିଲା ଯାନବାହନ

ଭବାନୀପାଟଣା,୯।୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାଲେର ଯୋର ଆପ୍ରୋଚ ପୋଲ ଉପରେ ବର୍ଷା ପାଣି କମିବା ପରେ ମଙ୍ଗଳବାର ସକାଳୁ ଯାତାୟାତ ସ୍ବାଭାବିକ ହୋଇଛି। ଫଳରେ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦(ସି) ମୁଖ୍ୟ ରାସ୍ତାରେ ପୁଣି ଥରେ ଯାନବାହନ ଚଳାଚଳ ଆରମ୍ଭ କରିଛି। ରବିବାର ସନ୍ଧ୍ୟାରେ ପୋଲ ଉପରେ ୩ ଫୁଟ ପାଣି ଚାଲିବା ପରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାସ୍ତାକୁ ବନ୍ଦ କରାଯାଇଥିଲା।
ପ୍ରକାଶ ଯେ, ହାଲେର ଯୋର ଉପରେ ନିର୍ମାଣ ହେଉଥିବା ପୋଲ କାମ ଅଧାପନ୍ତରିଆ ହୋଇଛି। ଫଳରେ ସେଠାରେ ନିର୍ମାଣ କରାଯାଉଥିବା ଆପ୍ରୋଚ ପୋଲ ଉପରେ ଗତ ମାସକ ମଧ୍ୟରେ ଏହାକୁ ମିଶାଇ ୩ ଥର ପାଣି ପ୍ରବାହିତ ହୋଇ ସାରିଲାଣି। ଏନେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Share