କେନ୍ଦ୍ରାପଡ଼ା,୪ା୯(ଜଗନ୍ନାଥ ଧଳ): ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ଓ ଲୁଣାବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ଓ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୌଗିକ ସଂସ୍ଥାନ (ଏନ୍ଆଇଓଟି) ମଧ୍ୟରେ ୨୦୨୨ ଅଗଷ୍ଟ ୧୦ରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଥିଲା। ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର ଓ ଏନ୍ଆଇଓଟି ନିର୍ଦ୍ଦେଶକ ଡ. ଜି.ଏ. ରାମଦାସ ଏହି ଏମ୍ଓୟୁରେ ସ୍ବାକ୍ଷର କରିଛନ୍ତି। ଆସନ୍ତା ୨୦୨୬ ସୁଦ୍ଧା ରାଜ୍ୟର ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ରତଟ ଓ ଲୁଣାବନ୍ଧର ସୁରକ୍ଷା ହେବ ବୋଲି ଏଥିରେ ଉଲ୍ଲେଖ ଅଛି। ଏହି ଏମ୍ଓୟୁକୁ ଇତିମଧ୍ୟରେ ୧ ବର୍ଷରୁ ଅଧିକ ହୋଇଛି। ମାତ୍ର କେନ୍ଦ୍ରାପଡ଼ା ଜିଲାରେ ଏହା କାର୍ଯ୍ୟକାରୀ ହୋଇନାହିଁ। ଅପରପକ୍ଷରେ ସମୁଦ୍ର ଓ ଭୂଭାଗକୁ ଛୁଇଁଥିବା ଉପକୂଳ ଜୋନ୍ର ସୁରକ୍ଷା ଆବଶ୍ୟକ। ବନ୍ୟା, ସାମୁଦ୍ରିକ ଝଡ଼ ସହିତ ସୁନାମି ଭୟ ରହିଛି। କେନ୍ଦ୍ର ପର୍ଯ୍ୟାବରଣ ଓ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଏଥିରୁ ସୁରକ୍ଷା ପାଇଁ ଅନୁଦାନ ଦିଆଯାଉଛି। ଏହାସହ ଏହି ଅଞ୍ଚଳର ପରିବେଶ ସୁରକ୍ଷା ପାଇଁ ୧୯୮୬ରେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ ହୋଇଛି। ଏଥିସହିତ ୧୯୯୧, ୨୦୧୧ ଓ ୨୦୧୯ରେ ଉପକୂଳ ପରିଚାଳନା ଜୋନ୍(ସିଆର୍ଜେଡ୍) ଚିହ୍ନଟ ହୋଇ ନୋଟିଫିକେଶନ ହୋଇଛି। ଏହାସତ୍ତ୍ୱେ ରାଜ୍ୟର କେନ୍ଦ୍ରାପଡ଼ା ସମେତ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, ପୁରୀ ଓ ଗଞ୍ଜାମ ତଟାଞ୍ଚଳ ସୁରକ୍ଷିତ ନୁହେଁ। ୨୦୨୨ରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିବା ସିଏଜି (କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ) ନିର୍ଦ୍ଦେଶକ ସଞ୍ଜୟ କୁମାର ଝାଙ୍କ ୨୦୧୫ରୁ ୨୦୨୦ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରିପୋର୍ଟରେ ରାଜ୍ୟରେ ବୃଦ୍ଧି ପାଉଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନ ନ ଥିବା ନେଇ କ୍ଷୋଭ ପ୍ରକାଶ କରାଯାଇଛି। ଅନୁଦାନ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ଏହାର ସୁଫଳ ମିଳୁ ନ ଥିବା ଉଲ୍ଲେଖ ହୋଇଛି।
ସିଏଜି ରିପୋର୍ଟ ଅନୁଯାୟୀ, ତଟାଞ୍ଚଳରେ ଶିଳ୍ପାଞ୍ଚଳ ବିକଶିତ ହୋଇଛି। ସେହିପରି ଚିଙ୍ଗୁଡ଼ିଘେରି, ବହୁମାତ୍ରାରେ ବସବାସ ବଢ଼ିଛି। ଏଥିପାଇଁ ତଟବନ୍ଧ ଓ ପରିବେଶ ଅସୁରକ୍ଷିତ ହୋଇଛି। ପାରାଦୀପ ଓ ଧାମରା ମଧ୍ୟରେ ଥିବା ଉପକୂଳ ଅଞ୍ଚଳର ପରିବେଶ ନିରୀକ୍ଷଣ ପାଇଁ ୨୦୧୩ରୁ ୨୦୧୫ ମଧ୍ୟରେ ୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ୧୯ଟି ପରୀକ୍ଷାଗାର ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା। ଏହି ପରୀକ୍ଷାଗାର ମାଧ୍ୟମରେ ପରିବେଶ ସମ୍ବନ୍ଧୀୟ ତଥ୍ୟ ହାସଲ କରାଯିବା କଥା। ମାତ୍ର ଏହି ବୋର୍ଡ ୩୩ରୁ ୫୯ ପ୍ରତିଶତ କାର୍ଯ୍ୟକାରୀ ହୋଇଛି। ଜଳ ଓ ବାୟୁର ମାନ ନିର୍ଦ୍ଧାରଣ କରିବା କ୍ଷେତ୍ରରେ ବହୁ ପଛୁଆ ଅଛି। ୨୦୧୬ରୁ ୨୦୧୮ ମଧ୍ୟରେ ରାଜନଗର ମ୍ୟାନ୍ଗ୍ରୋଭ ଫରେଷ୍ଟ ଡିଭିଜନ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ୨୨୮ ହେକ୍ଟର ଜମିରେ ହେନ୍ତାଳବଣ ସୃଷ୍ଟି ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ତଦନ୍ତ ସମୟରେ ଶୂନ୍ରୁ ୩୫ ପ୍ରତିଶତ ଗଛ ଦେଖିବାକୁ ମିଳିଛି। ସେହିପରି କେନ୍ଦ୍ରାପଡ଼ା ଜିଲା ପେଣ୍ଠଠାରେ ପ୍ରାୟ ୩୩ କୋଟି ଟଙ୍କା ଖର୍ଚ୍ଚ ହୋଇ ଜିଓ ସିନ୍ଥେଟିକ୍ ବନ୍ଧ ନିର୍ମାଣ ହୋଇଥିଲା। ମାତ୍ର ଏହି ୱାଲ୍ର ଗାବିୟନ ବକ୍ସରୁ ପଥର ବାହାରି ସମୁଦ୍ର ମଧ୍ୟକୁ ଚାଲି ଯାଉଛି। ୨୦୧୮ରେ ଏହି ଟ୍ୟୁବ୍ୱାଲର ସୁରକ୍ଷା ପାଇଁ ରାଜ୍ୟ ପାଣ୍ଠିରୁ ୪ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହାର ତଦନ୍ତ ସମୟରେ ପେଣ୍ଠ ତଟାଞ୍ଚଳର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏଥିସହ ୨୦୧୯ ଅଗଷ୍ଟରେ ଟ୍ୟୁବ୍ୱାଲରେ ନିଅଁା ଲାଗିଥିବାରୁ ଅଧିକ ୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ ତଟବନ୍ଧ ସୁରକ୍ଷାକୁ ନେଇ ସିଏଜି ରିପୋର୍ଟ ବହୁ ପ୍ରଶ୍ନ ଉଠାଯାଇଥିଲା। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲାରେ ମୋଟ ୭୪୪.୩୭ କିମିର ଲୁଣା ତଟବନ୍ଧ ଅଛି। ଏହି ବନ୍ଧ ଅସୁରକ୍ଷିତ ଥିବାରୁ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲାର ୪୫୫ ଗ୍ରାମାଞ୍ଚଳରେ ସମୁଦ୍ର ଓ ନଦୀ ଜଳ ପଶିଆସୁଛି। ଏଥିସହ ଜିଲାରେ ମୋଟ ୬୪ଟି ଗ୍ରାମକୁ ସୁନାମିପ୍ରବଣ ବୋଲି ଚିହ୍ନଟ କରାଯାଇଛି।