
୧୯୯୨ ମସିହାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ମାର୍ଚ୍ଚ ୨୨ ତାରିଖକୁ ପ୍ରତିବର୍ଷ ବିଶ୍ୱ ଜଳ ଦିବସ ରୂପେ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲା। ତଦନୁସାରେ ୧୯୯୩ରୁ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ବିଶ୍ୱ ଜଳ ଦିବସ ପାଳନ କରିଆସୁଛନ୍ତି। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ସମାଜର ସବୁ ବର୍ଗର ଲୋକଙ୍କୁ ଜଳ ସମସ୍ୟା ବିଷୟରେ ସଚେତନ କରାଇ, ଜଳ ସମ୍ପଦର ସଂରକ୍ଷଣ ଓ ତା’ର ସଦୁପଯୋଗ ଉପରେ ଧ୍ୟାନ ଦେବା। ପ୍ରତିବର୍ଷ ବିଶ୍ୱ ଜଳ ଦିବସର ଏକ ଥିମ୍ ବା ମୁଖ୍ୟ ବାର୍ତ୍ତା ଥାଏ, ଯାହାକୁ କେନ୍ଦ୍ରକରି ଚର୍ଚ୍ଚା, ପ୍ରଚାର ପ୍ରସାର ଓ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ ହୋଇଥାଏ। ଏ ବର୍ଷର ବିଶ୍ୱ ଜଳ ଦିବସର ବାର୍ତ୍ତା ହେଉଛି ହିମଖଣ୍ଡ ସଂରକ୍ଷଣ। ଅର୍ଥାତ ପୃଥିବୀର ଜୀବଜଗତ ବଞ୍ଚିରହିବା ପାଇଁ ହିମଖଣ୍ଡକୁ ସଂରକ୍ଷଣ କରିବାକୁ ହେବ। ଆମକୁ ହିମଖଣ୍ଡର ଜଳବାୟୁ ସନ୍ତୁଳନରେ ଥିବା ଭୂମିକାକୁ ବୁଝିବାକୁ ହେବ ଅଥବା ସିଧାସିଧା କହିବାକୁ ଗଲେ ଆମେ ହିମଖଣ୍ଡର ଜଳଚକ୍ର ଉପରେ ଥିବା ପ୍ରଭାବକୁ ଉପଲବ୍ଧି କରିବା, ଯଦ୍ଦ୍ବାରା ତା’ର ସଂରକ୍ଷଣ ପାଇଁ ବିଭିନ୍ନ ସ୍ତରରେ ଉପଯୁକ୍ତ ପଦକ୍ଷେପ ନେବା।
ବିଶ୍ୱ ଉତ୍ତପ୍ତୀକରଣ ଯୋଗୁ୍ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧିପାଉଛି ଏବଂ ତା’ର ପ୍ରଭାବରେ ହିମଖଣ୍ଡ ତରଳୁଛି ଓ ସତ୍ତା ହରାଉଛି। ଆଇପିସିସି ଆକଳନ ଅନୁସାରେ ଏକବିଂଶ ଶତାବ୍ଦୀର ଶେଷବେଳକୁ ବାୟୁମଣ୍ଡଳର ହାରାହାରି ତାପମାତ୍ରା ପ୍ରାୟ ୧.୫ ରୁ ୨.୦ ଡିଗ୍ରୀ ସେଣ୍ଟିଗ୍ରେଡ ବୃଦ୍ଧିପାଇବାର ସମ୍ଭାବନା ଅଛି। ଉତ୍ତରମେରୁ, ଦକ୍ଷିଣମେରୁ ଏବଂ ହିମାଳୟ ଭଳି ପର୍ବତରେ ଜମାହୋଇ ରହିଥିବା ହିମଖଣ୍ଡ ତରଳିବାକୁ ଲାଗିବ ଏବଂ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ। ସମୁଦ୍ର ଜଳସ୍ତର ବୃଦ୍ଧି ହେଲେ, ଅନେକ ସମୁଦ୍ରକୂଳିଆ ଅଞ୍ଚଳ ଜଳମଗ୍ନ ହେବ ଓ ସମୁଦ୍ର ଜଳର ଲବଣ ନଦୀ ନାଳ ମାଧ୍ୟମରେ ବିଲ ଓ କିଆରି ମଧ୍ୟକୁ ପ୍ରବେଶ କରିବ ଏବଂ ଚାଷୀଙ୍କ ଅମଳ କମାଇଦେବ। ତେଣୁ ଆମ ସମସ୍ତଙ୍କର ପ୍ରଥମ ଓ ପ୍ରଧାନ କାମ ହେଲା ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ରୋକିବା। ଅର୍ଥାତ ଯେଉଁ ଜୀବନଶୈଳୀ ଓ ଉତ୍ପାଦନ ପ୍ରକ୍ରିୟାରେ କମ୍ ଗ୍ରୀନ୍ ହାଉସ ଗ୍ୟାସ୍ ନିର୍ଗମନ ହେବ, ସେ ସବୁକୁ ଆପଣେଇବା।
ବର୍ତ୍ତମାନ ପୃଥିବୀର ବିଭିନ୍ନ ଭାଗରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଆମ ଦେଶରେ ମଧ୍ୟ ବିଭିନ୍ନ ଭାଗରେ ଜଳ ସମସ୍ୟାମାନ ମୁଣ୍ଡ ଟେକିଲାଣି। କେତେକ ରାଜ୍ୟରେ କ୍ରେନ ଓ ଟ୍ୟାଙ୍କର ଯୋଗେ ଖରାଦିନେ ପାନୀୟ ଜଳଯୋଗାଣ କରାଯାଉଛି। ଓଡ଼ିଶାର ବିଭିନ୍ନ ଜିଲାରେ ମଧ୍ୟ ଗୁରୁତର ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଦେଶର କେତେକ ସ୍ଥାନରେ ଭୂତଳ ଜଳସ୍ତର କ୍ରମଶଃ କମିଯିବାରୁ ଖରାଦିନେ କୂଅ ଓ ନଳ କୂପରେ ପାଣି ଆସୁନାହିଁ। ଜଳବାୟୁ ପରିବର୍ତ୍ତନ ଜନିତ ବିଭ୍ରାଟ ଯୋଗୁ ଅଳ୍ପ ସମୟରେ ମାତ୍ରାଧିକ ବୃଷ୍ଟିପାତ ଓ ବର୍ଷା ଋତୁରେ ଉତ୍କଟ ମରୁଡ଼ି ଭଳି ସ୍ଥିତି ଉତ୍ପନ୍ନ ହେଉଛି।
ବିଶ୍ୱ ଜଳ ଦିବସ ପାଳନ ଆମର ଯୋଜନାକାରୀ, ପ୍ରଶାସକ, ଗବେଷକ, ଛାତ୍ରସମାଜ, କୃଷକ ଓ ସମାଜର ସମସ୍ତ ନାଗରିକଙ୍କୁ ଏକାଠି କରି, ଜଳ ସମସ୍ୟା ଓ ତା’ର ସମାଧାନ ଉପରେ ଖସଡା ପ୍ରସ୍ତୁତ ଏବଂ ତା’ର କ୍ରିୟାନ୍ବୟନ ପାଇଁ ଏକ ସୁଯୋଗ ସୃଷ୍ଟି କରୁଛି। ଯଦିଓ ପୃଥିବୀର ସମୁଦାୟ ଭୂଭାଗରେ ଶତକଡା ୭୧ ଭାଗ ଜଳ ସମ୍ପଦରେ ପରିପୂର୍ଣ୍ଣ, ମାତ୍ର ସେଥିମଧ୍ୟରୁ ଶତକଡା ୯୭.୩ ଭାଗ ଲବଣାକ୍ତ ଜଳ ଓ ମାତ୍ର ୨.୭ ଭାଗ ମଧୁର ଜଳ। ଅଳ୍ପ କିଛି ହେନ୍ତାଳ ଜାତୀୟ ବୃକ୍ଷ ଓ ସାମୁଦ୍ରିକ ଜଳ ଜୀବ ସାମୁଦ୍ରିକ ପକ୍ଷୀକୁ ଛାଡ଼ିଦେଲେ, ସଂପୂର୍ଣ୍ଣ ମାନବ ସମାଜ, ପଶୁ ପକ୍ଷୀ ଓ ଉଦ୍ଭିଦ ଜଗତ ଲବଣାକ୍ତ ଜଳରେ ବଞ୍ଚିବା କଷ୍ଟକର। ତେଣୁ ମଧୁର ଜଳର ମହତ କେତେ ଆମେ ସହଜରେ ଅନୁମାନ କରିପାରିବା।
ବିଶ୍ୱର ସମୁଦାୟ ମଧୁର ଜଳର ଶତକଡା ୮୮ ଭାଗ ଜୀବଜଗତ ପାଇଁ ଅନୁପଲବ୍ଧ (୭୭% ଗ୍ଲେସିୟର ବରଫ ଖଣ୍ଡ ଓ ମେରୁ ବରଫ ଖଣ୍ଡରେ ଆବଦ୍ଧ ଥାଏ, ଯାହା କେବେ ତରଳେ ନାହିଁ ଓ ଶତକଡା ୧୧ ଭାଗ ଭୂପୃଷ୍ଠର ୮୦୦ ମିଟର ତଳେ ଥାଏ, ଯାହାକୁ ବର୍ତ୍ତମାନର ଉପଲବ୍ଧ ଜ୍ଞାନକୌଶଳ ଉପଯୋଗ କରି ଉତ୍ତୋଳନ କରିବା ସମ୍ଭବ ନୁହେଁ)। ଏହି ହିମଖଣ୍ଡ ତରଳିଗଲେ ପୃଥିବୀର ବିଭିନ୍ନ ଅଞ୍ଚଳର ଜଳବାୟୁ ଓ ଜଳଚକ୍ରରେ ସୃଷ୍ଟି ବ୍ୟତିକ୍ରମ ଜୀବଜଗତକୁ ବହୁଳ ଭାବେ ପ୍ରଭାବିତ କରିବ। ସମୁଦାୟ ମଧୁର ଜଳର ମାତ୍ର ୧୨ ଭାଗ ଆମର କାମରେ ଲାଗିଥାଏ। ତା’ଛଡା ସମୁଦ୍ର ଜଳରୁ ମଧୁର ଜଳ ପ୍ରସ୍ତୁତି ଅତ୍ୟନ୍ତ ବ୍ୟୟସାପେକ୍ଷ, ଯଦ୍ଦ୍ବାରା ଏତେ ଦାମ୍ ଦେଇ ଜଳ ଉପଯୋଗ କରିବା ସମ୍ଭବ ହେବ ନାହିଁ। ଅନ୍ୟ ପକ୍ଷରେ ଆମେ ବିନା ମୂଲ୍ୟରେ ପ୍ରଚୁର ମଧୁର ଜଳ ବର୍ଷା ରୂପରେ ପାଇଥାଉ। ତା’ର ସଂରକ୍ଷଣ ଓ ସଦୁପଯୋଗ କାହିଁକି ନ କରିବା?
ବିଶ୍ୱର ହାରାହାରି ମୁଣ୍ଡପିଛା ବାର୍ଷିକ ଜଳ ଉପଲବ୍ଧତା ପ୍ରାୟ ୭୦୦୦ ଘନ ମିଟର। ଗ୍ରହଣୀୟ ମାନକ ହିସାବରେ ଯଦି କୌଣସି ଦେଶର ବାର୍ଷିକ ମୁଣ୍ଡପିଛା ଜଳ ଉପଲବ୍ଧତା ୨୦୦୦ ଘନ ମିଟର ରହେ, ତା ହେଲେ ସେ ଦେଶ ଜଳ ସମ୍ପଦରେ ସ୍ବଚ୍ଛଳ ବୋଲି ଧରାଯାଏ। ମାତ୍ର ତାହା ହ୍ରାସ ପାଇ ୧୭୦୦ ଓ ୧୦୦୦ ଘନ ମିଟର ତଳକୁ ଗଲେ ସେ ଦେଶ ଯଥାକ୍ରମେ ଜଳକ୍ଳିଷ୍ଟ ଓ ଜଳ ସଙ୍କଟରେ ଥାଏ ବୋଲି ବିବେଚନା କରାଯାଏ। ତଦନୁସାରେ ଆମ ଦେଶର ବାର୍ଷିକ ମୁଣ୍ଡପିଛା ଜଳ ଉପଲବ୍ଧତା ୧୯୫୧ରେ ୫୧୭୭ ଘନ ମିଟର ଥିଲାବେଳେ, ଜନସଂଖ୍ୟା ବୃଦ୍ଧି ଯୋଗୁ ତାହା କ୍ରମଶଃ ହ୍ରାସ ପାଇ ବର୍ତ୍ତମାନ ୧୪୫୦ ଘନ ମିଟରରେ ପହଞ୍ଚିଛି, ଯାହାକି ଜଳକ୍ଳିଷ୍ଟ ଅବସ୍ଥାକୁ ହାସଲ କରିଛି। ଏବେଠୁ ଯଦି ଆମେ ସଚେତନ ନ ହୋଇ ଜଳ ସମ୍ପଦର ସୁରକ୍ଷା ଦିଗରେ ଧ୍ୟାନ ନ ଦେବା ତେବେ ନିକଟ ଭବିଷ୍ୟତରେ ଆମେ ଜଳ ସଙ୍କଟ ଅବସ୍ଥାର ସମ୍ମୁଖୀନ ହେବା। ଆମ ରାଜ୍ୟର ବିଭିନ୍ନ ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଜିଲାଗୁଡ଼ିକରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଯଦିଓ ଆମେ ବର୍ଷକୁ ୧୫୦୦ ମିଲିମିଟର ବର୍ଷା ପାଉଛୁ , ଏକ ହିସାବ ଅନୁସାରେ ୨୦୫୦ ମସିହା ବେଳକୁ ଆମକୁ ସର୍ବମୋଟ ୧୪୪୭ ବିସିଏମ (ବିଲିଅନ କ୍ୟୁବିକ ମିଟର) ଜଳ ଆବଶ୍ୟକ ଯାହାକି ଆମ ଦେଶର ମୋଟ ଜଳ ଉପଲବ୍ଧତାଠୁ ୩୨୪ ବିସିଏମ ଅଧିକ। କୃଷି କ୍ଷେତ୍ରକୁ ସେ ସମୟରେ ୧୦୭୨ ବିସିଏମ ଜଳ ଆବଶ୍ୟକ ହେବ, ଯାହାକି ସମୁଦାୟ ଜଳ ଆବଶ୍ୟକତାର ୭୪%। କୌଣସି ଦେଶ ଘରୋଇ, ଶିଳ୍ପ, ଶକ୍ତି ଆଦି କ୍ଷେତ୍ରର ଆବଶ୍ୟକତାକୁ କମ୍ କରି ନିଜ ଜଳ ସମ୍ପଦର ୭୪ ଭାଗ ଜଳ କୃଷି କ୍ଷେତ୍ରକୁ ଦେଇ ପାରିବେ ନIହିଁ। ତେଣୁ ଆମକୁ କମ୍ ଜଳରେ ଅଧିକ ଉତ୍ପାଦନ ହୋଇପାରୁଥିବା ଜ୍ଞାନକୌଶଳକୁ ଉପଯୋଗ କରିବାକୁ ପଡ଼ିବ। ସମାଜର ସବୁ ବର୍ଗର ଲୋକ ଜଳ ସମସ୍ୟାର ଗମ୍ଭୀରତାକୁ ଉପଲବ୍ଧ କରି ତା’ର ସଂରକ୍ଷଣ ଓ ସଦୁପଯୋଗ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଅଧିକ ସଂଖ୍ୟକ ନଦୀବନ୍ଧ ଯୋଜନା, ଚେକ୍ ଡ୍ୟାମ୍, ଗଡିଆ, ପୋଖରୀ ଆଦିକୁ ନିର୍ମାଣ କରିବାକୁ ହେବ , ଯାହାଦ୍ୱାରା ବର୍ଷାଜଳ ସଂରକ୍ଷଣ ଓ ଭୂ-ଜଳସ୍ତର ବୃଦ୍ଧି ହୋଇପାରିବ। ପୁରୁଣା ଜଳାଶୟରୁ ପଙ୍କ ଉଦ୍ଧାର କରି ତା’ର ବର୍ଷାଜଳ ଧାରଣ କ୍ଷମତା ବୃଦ୍ଧି କରିବାକୁ ପଡିବ। ଶିଳ୍ପ କ୍ଷେତ୍ରରେ ବର୍ଷାଜଳ ସଂରକ୍ଷଣ ଓ ତାହାର ଉପଯୋଗ ବାଧ୍ୟତାମୂଳକ କରିବାକୁ ହେବ। ।
ଭୂତଳ ଜଳ ହ୍ରାସ ଅଞ୍ଚଳରେ କୃତ୍ରିମ ଜଳ ଭରଣ ୟୁନିଟ ସ୍ଥାପନ କରିବାକୁ ପଡ଼ିବ । ବର୍ଜ୍ୟ ଜଳକୁ ବିଶୋଧିତ କରି କୃଷି ଓ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଇବାକୁ ପଡିବ। ଆସନ୍ତୁ ସମସ୍ତେ ମିଶି ଏକ ଶପଥ ନେବା ଯେ ବ୍ୟକ୍ତିଗତ ସ୍ତରରେ ଆବଶ୍ୟକତାଠୁ ଅଧିକ ଜଳ ଖର୍ଚ୍ଚ କରିବା ନାହିଁ ଓ ଜଳର ଅପଚୟ ରୋକିବା, ଯଦ୍ଦ୍ବାରା ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଜଳ ସୁରକ୍ଷା ପ୍ରଦାନ କରିବା ସମ୍ଭବ ହୋଇପାରିବ।
ଡ. ପ୍ରମୋଦ
କୁମାର ପଣ୍ଡା, ଡ. ଅର୍ଜମାଦତ୍ତ ଷଡ଼ଙ୍ଗୀ
ଭାରତୀୟ ଜଳ ପରିଚାଳନା
ପ୍ରତିଷ୍ଠାନ, ଭୁବନେଶର