୪ଦିନ ହେଲା ଜଳଯୋଗାଣ ବନ୍ଦ

ସମ୍ବଲପୁର,୧୬ା୩(ବ୍ୟୁରୋ): ରାସ୍ତା କଡରେ ଡ୍ରେନ୍‌ କାମ ସମୟରେ ଜଳଯୋଗାଣ ମୁଖ୍ୟ ପାଇପ୍‌ ଫାଟିଯାଇଥିବାରୁ ୪ଦିନ ହେଲା ଅଞ୍ଚଳକୁ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଛୋଟବଡ ୮ ଗ୍ରାମର ପ୍ରାୟ ୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସମ୍ବଲପୁର ମହାନଗର ନିଗମ ୪୦ ନମ୍ବର ୱାର୍ଡରେ ଏଭଳିି ଘଟଣା ଦେଖିବାକୁ ମିଳିିଛି। ୫୫ନଂ. ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ଓ ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ସାଧାରଣ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରାସ୍ତା କାମ ଆରମ୍ଭରୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଥିଲା। ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ ପାଇଁ ପ୍ରକଳ୍ପ କାମ ହୋଇଥିଲା। ଅଧିକୃତ ଜମିରେ ଜନସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ପାଇପ ଓ ସର୍ଭିସ ପାଇପ ବିଛାଇଛି। ଏବେ ରାସ୍ତା କାମ ସମୟରେ ଠିକା ସଂସ୍ଥା ଜେସିବି ସାହାଯ୍ୟରେ ମନଇଚ୍ଛା ଖୋଳିଚାଲିଛି। ପାଇପ୍‌ ବିଛା ହୋଇଥିବା ଜାଣିବା ପରେ ମଧ୍ୟ ଡ୍ରେନ୍‌ ପାଇଁ ମାଟି ଖୋଳିଦେଲେ। ତେଣୁ ପାଇପ୍‌ ଛିଣ୍ଡି ଦୁଇଖଣ୍ଡ ହୋଇଯାଇଛି। ଫଳରେ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଅଭିଯୋଗ କରିବା ପରେ ଜନସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ହେଲେ ପାଇପ୍‌ ମରାମତିି କରିବା ପାଇଁ ଆବଶ୍ୟକ ସାମଗ୍ରୀ ନ ଥିବା କହି ଫେରିଆସିଥିଲେ। ୩ଦିନ ହେଲା ସାମଗ୍ରୀ ନ ଆସିବାରୁ ମରାମତି କରାଯାଇ ପାରି ନ ଥିଲା। ନିକଟରେ ଅନୁଷ୍ଠିତ ବୈଠକରେ ଗ୍ରୀଷ୍ମଋତୁର ମୁକାବିଲା ପାଇଁ ଜିଲା ପ୍ରଶାସନ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲା। ଏପରି କି ଆବଶ୍ୟକ ସାମଗ୍ରୀ ରଖିବାକୁ କୁହାଯାଇଥିଲା। ହେଲେ ଜନସ୍ବାସ୍ଥ୍ୟ ବିଭାଗ ପାଖରେ ସାମାନ୍ୟ ପାଇପ୍‌ ଯୋଡିବା ସାମଗ୍ରୀ ନ ଥିବାରୁ ମରାମତି ହୋଇପାରିନାହିଁ। ଆଗକୁ ବିଭାଗ କିଭଳି ମୁକାବିଲା କରିବ ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ସ୍ଥାନୀୟ ଲୋକେ ପାଇପ ନଷ୍ଟ କରିଥିବା ଠିକା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମଙ୍ଗଳ ସିଂ କହିଛନ୍ତି, ପାଇପ୍‌ ମରାମତି କରିବାକୁ କର୍ମଚାରୀ ଯାଇଥିଲେ, ହେଲେ ହୋଇପାରି ନାହିଁ। ଆଜି ସନ୍ଧ୍ୟା ସୁଦ୍ଧା ଯେଭଲି ଭାବେ ମରାମତି କରାଯାଇ ଲୋକଙ୍କୁ ପାଣି ଦିଆଯିବ ବୋଲି ସେ କହିଥିଲେ। ଅନ୍ୟପଟେ ଠିକା ସଂସ୍ଥା ପ୍ରକଳ୍ପ ମ୍ୟାନେଜର ଗୌରବ ଦାସ କହିଛନ୍ତି, କାମ କରୁଥିବା ସମୟରେ ପାଇପ୍‌ ଫାଟି ଯାଇଥିଲା। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମରାମତି କାମ କରାଯିବ। ମରାମତି ବାବଦକୁ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଦିଆଯିବ ବୋଲି ସେ କହିଥିଲେ।

Share