କେନ୍ଦ୍ରାପଡ଼ା ଅଫିସ/ରାଜକନିକା,୭ା୧୨ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣିଦେବା ବିବାଦ ତୀବ୍ର ହେବାରେ ଲାଗିଛି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଶତାଧିକ ମହିଳା ରବିବାର ପୂର୍ବାହ୍ନରେ ହାତରେ ଗରା ଧରି ବରୁଣାଡିହାଠାରେ ନଦୀରେ ପଶି ଜଳ ସତ୍ୟାଗ୍ରହ କରିଛନ୍ତି। ଏଥିସହ କୌଣସି ପରିସ୍ଥିତିରେ ଖରସ୍ରୋତା ନଦୀକୁ ମୃତ ହେବାକୁ ଦିଆଯିବ ନାହିଁ ବୋଲି ଶପଥ ନେଇଛନ୍ତି।
ଭଦ୍ରକ ଜିଲାର ବାସୁଦେବପୁର, ତିହିଡି, ଧାମନଗର ଓ ଚାନ୍ଦବାଲି ବ୍ଲକର ୯୧ ପଞ୍ଚାୟତକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବରୁଣାଡିହାଠାରେ ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପ ଜାନୁୟାରୀରୁ ନିର୍ମାଣାଧୀନ ଅଛି। ୮୯୨ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ପାଇଁ ଚାନ୍ଦବାଲି ବ୍ଲକ ନୂଆହାଟଠାରେ ଜଳ ବିଶୋଧନାଗାର ନିର୍ମାଣ ଚାଲିଛି। ସ୍ଥାନୀୟ ଅଞ୍ଚଳରେ ପାଇପ୍ ବିଛା ଯାଉଛି। ନଦୀରୁ ପାଣି ଉଠାଗଲେ ଲୁଣା ମାଡିଯିବା, ସ୍ଥାନୀୟ ଅଞ୍ଚଳର କୃଷି ଓ ଜାତୀୟ ଉଦ୍ୟାନ ଭିତରକନିକା ପ୍ରଭାବିତ କରିବ ବୋଲି ଆଶଙ୍କା କରି ସମିତି ପକ୍ଷରୁ ପ୍ରକଳ୍ପ ନିର୍ମାଣ ଆରମ୍ଭରୁ ବିରୋଧ କରାଯାଉଛି। ଇତିମଧ୍ୟରେ ଶାସକ ଓ ପ୍ରଶାସକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଚଳାଇଛନ୍ତି। ଏପରି କି ବିରୋଧୀ ଓ ପ୍ରଶାସକଙ୍କ ପକ୍ଷରୁ ଦୁଇଥର ସଭା ଓ ଆଲୋଚନା ହୋଇଥିଲେ ମଧ୍ୟ ତାହା ନିଷ୍ଫଳ ହୋଇଯାଇଛି। ଜଳ ସତ୍ୟାଗ୍ରହ ସମ୍ପର୍କରେ ଆନ୍ଦୋଳନକାରୀ କବିତା ବେହେରା କହିଛନ୍ତି, ଖରସ୍ରୋତା ନଦୀରେ ଆଗ ପରି ସ୍ରୋତ ରହୁନାହିଁ। ନଦୀ ଜଳ ସଂରକ୍ଷଣ ପାଇଁ ଯୋଜନା ଅଭାବରୁ ସ୍ଥାନୀୟ କୃଷି ପାଇଁ ପାଣି ନିଅଣ୍ଟ ହେଉଛି। ସେହିପରି ହେନ୍ତାଳବଣ ପାଇଁ ସମୁଦ୍ରର ଲୁଣି ପାଣି ସହ ମଧୁର ଜଳର ସମ୍ମିଶ୍ରଣ ଆବଶ୍ୟକ। ନଦୀର ତଳମୁଣ୍ଡରେ ସମୁଦ୍ରକୁ କେତେ ପରିମାଣରେ ମଧୁର ପାଣି ନିଷ୍କାସିତ ହେଉଛି, ତାହାର ତର୍ଜମା ହୋଇନାହିଁ। ଏପରିସ୍ଥଳେ ମେଗା ପାନୀୟ ଜଳ ପ୍ରକଳ୍ପରେ ଦୈନିକ ୧୪୮ ମିଲିଅନ ଲିଟର ପାଣି ଉଠାଗଲେ ସମୁଦ୍ରର ଲୁଣାଜଳ ଭିତରକୁ ମାଡିଆସିବ। ପାଣିଉଠା ସ୍ଥାନ ଓ ବିଶୋଧନାଗାର ମଧ୍ୟରେ ବହି ଯାଇଥିବା ବୈତରଣୀରେ ଲୁଣି ପାଣି ଆସିବା ପରି ଖରସ୍ରୋତା ଅଗାମୀଦିନରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୃତା ନଦୀ ହୋଇଯିବ। କୃଷି ଓ ଭିତରକନିକାର ଜୈବ ବିବିଧତା ନଷ୍ଟ ସହ ସୁନାମି ଆସି କେନ୍ଦ୍ରାପଡାର ପ୍ରଭୂତ କ୍ଷତି ଘଟାଇବ। ତୁରନ୍ତ ଏହି ପ୍ରକଳ୍ପ ବନ୍ଦ କରିବାକୁ ଆନ୍ଦୋଳନକାରୀ ବେହେରା ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସଂଗ୍ରାମ ସମିତିର ମୋନାଲିସା ବେହେରା, ଅପର୍ଣ୍ଣା ମହାନ୍ତି, ସରସ୍ବତୀ ରାଉତ, ସଂଯୁକ୍ତା ବେହେରା ଓ ଉର୍ମିଳା ବେହେରା ପ୍ରମୁଖ ଜଳ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ।