କେନାଲ କୂଳ ଜମିକୁ ମାଡୁନି ପାଣି

ବରଗଡ଼ ଅଫିସ୍‌,୧୦।୩: ଚଳିତ ରବିଧାନ ଫସଲରେ ବରଗଡ଼ ଜିଲା ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀମାନେ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି। କେନାଲ ବିଭାଗର ଦୂରଦୃଷ୍ଟିହୀନତା ଯୋଗୁ ଏହି ସ୍ଥିତି ଉପୁଜିଛି। ବରଗଡ଼ ମୁଖ୍ୟ କେନାଲର କଟାପାଲି ଏବଂ କମଗାଁ ମଝି ଜିରା ନଦୀ ଜଳ ପ୍ରବାହ ନିକଟରେ ଗର୍ତ୍ତ ସୃଷ୍ଟି ହେବା ଯୋଗୁ ଗତ ମାସ ୨୪ତାରିଖରୁ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରହିଥିଲା। ୯ଦିନ ମରାମତି ହେବା ପରେ ଗତ ୪ତାରିଖରୁ କେନାଲରେ ପାଣି ଛଡ଼ା ଯାଇଥିଲା। ମାତ୍ର ପାଣି ଛଡ଼ାଯିବାର ୫ଦିନ ବିତିଯାଇଥିଲେ ସୁଦ୍ଧା ତଳମୁଣ୍ଡ ଦୂରର କଥା, ବରଗଡ଼ ବ୍ଲକର ଅନେକ ଚାଷଜମିକୁ ପାଣି ମାଡ଼ିନାହିଁ। ଏପରିକି ଉକ୍ତ କେନାଲର ପ୍ରଧାନପାଲି ମାଇନର କେନାଲ ପାର୍ଶ୍ୱ ଜମିକୁ ଏଯାଏ ପାଣି ମାଡ଼ିନାହିଁ। ଫଳରେ ଚାଷଜମି ମାଟି ଫାଟି ଆଁ କଲାଣି। ବରଗଡ଼ ବ୍ଲକ ଆମ୍ବସଢ଼ା, ବରାହଗୋଡ଼ା ଅଞ୍ଚଳରେ ପାଣି ନ ପାଇ ଧାନ ଫସଲ ନଷ୍ଟ ହୋଇଛି। ତଳମୁଣ୍ଡରେ ସ୍ଥିତି ଆହୁରି ସାଂଘାତିକ ଥିବା ଚାଷୀମାନେ କହିଛନ୍ତି। ଗୁରୁବାର ସନ୍ଧ୍ୟାରେ ପ୍ରଧାନପାଲି ମାଇନର କେନାଲର ଆମ୍ବସଢ଼ା ଅଞ୍ଚଳକୁ ଅଳ୍ପ ପାଣି ଆସିଥିଲା। କିନ୍ତୁ ତାହା ମଧ୍ୟ କାମକୁ ନୁହେଁ ବୋଲି ଚାଷୀମାନେ କହିଛନ୍ତି। ଅନ୍ୟପଟେ କେନାଲ ମରାମତି ସରିବା ପରେ ବିଭାଗୀୟ ଅଧିକାରୀଙ୍କ ନିରବତାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନେକ ଅଞ୍ଚଳକୁ ଏପର୍ଯ୍ୟନ୍ତ କେନାଲ ପାଣି ପହଞ୍ଚି ପାରିନାହିଁ। ତଥାପି ବିଭାଗୀୟ ଅଧିକାରୀମାନେ ନିରବଦ୍ରଷ୍ଟା ସାଜିଛନ୍ତି। ଏପରିକି ଚାଷୀମାନେ ଅଭିଯୋଗ ନେଇ ଅଫିସକୁ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ଦେଖା କରିବାର ସୁଯୋଗ ପାଉନାହାନ୍ତି। ଫୋନ କଲେ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କ ଫୋନ ନମ୍ବରରେ ଯୋଗାଯୋଗ ସମ୍ଭବ ହେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି॥ ଏ ସମ୍ପର୍କରେ ବରଗଡ଼ କେନାଲ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ପାଣିଗ୍ରାହୀଙ୍କୁ ତାଙ୍କ ମୋବାଇଲ ନଂ-୯୪୩୭୮୮୨୦୫୨ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ମୋବାଇଲ ବନ୍ଦ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ ।

ଉଜୁଡ଼ି ଗଲାଣି ଫସଲ
୬ଏକର ଧାନ ଫସଲ କରିଛି । ଫସଲ ବି ଭଲ ହୋଇଥିଲା। ସାର ପ୍ରୟୋଗ କରିଥିଲି। କିନ୍ତୁ ଗତ ମାସ ୨୪ତାରିଖରେ ହଠାତ୍‌ ପାଣି ବନ୍ଦ ହୋଇଗଲା । ଏପର୍ଯ୍ୟନ୍ତ କେନାଲରେ ପାଣି ଆସିନାହିଁ । ଫଳରେ ଧାନ ଫସଲ ସବୁ ଉଜୁଡ଼ି ଗଲାଣି ।
-କୁନୁ ପାତ୍ର, ଚାଷୀ, ଆମ୍ବସଢ଼ା

କେନାଲ ବିଭାଗରୁ ନିରାଶ
କେନାଲରେ ଗର୍ତ୍ତ ହୋଇଥିଲା ଏବଂ ମରାମତି ପରେ ପାଣି ଛଡ଼ା ଗଲାଣି ବୋଲି ଶୁଣିଥିଲୁ। କିନ୍ତୁ ଏପର୍ଯ୍ୟନ୍ତ ଆମ ଶାଖା କେନାଲରେ ପାଣି ଆସିନାହିଁ। ଫଳରେ ଆଜି ଜିଲାପାଳ ଓ କେନାଲ ଅଫିସକୁ ଯାଇଥିଲୁ। ହେଲେ କେହି ଦେଖା ଦେଲେନାହିଁ। ନିରାଶ ହୋଇ ଫେରିଲୁ। -ନରେନ୍ଦ୍ର ଭୋଇ, ଚାଷୀ, ଆମ୍ବସଢ଼ା
କେନାଲ ପାଣିକୁ ଅପେକ୍ଷା

ସବୁ ଜମି ଶୁଖିଲା ପଡ଼ିଛି। ମାଟି ଫାଟି ଆଁ କଲାଣି। କେନାଲ ପାଣିକୁ ଅପେକ୍ଷା କରିଛୁ। ହେଲେ କେନାଲରେ ପାଣିର ଦେଖାନାହିଁ। ତଳମୁଣ୍ଡରେ ଅଧିକାଂଶ ଫସଲ ନଷ୍ଟ ହୋଇଗଲାଣି। ପାଣି ଶୀଘ୍ର ନ ଆସିଲେ ଉପରମୁଣ୍ଡ ଫସଲ ବି ଆଉ ରହିବ ନାହିଁ।
-ଅନ୍ତ ପାତ୍ର, ଚାଷୀ, ଆମ୍ବସଢ଼ା