ପାଣି, ଟାୱାର ପାଇଁ ବିକ୍ଷୋଭ

ବାରିପଦା ଅଫିସ,୧୧।୨ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ ଚାନ୍ଦୁଆ ପଞ୍ଚାୟତର ଠାରୁଆସାହି ଓ କଖାରୁଆଶୋଳ ଗ୍ରାମବାସୀ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ପାଣି ଦିଅ ଭୋଟ ନିଅ ଏବଂ ଟାୱାର ନାହିଁ ତ ଭୋଟ ନାହିଁ ବୋଲି ଅଭିନବ ଉପାୟରେ ଦାବି ଉପସ୍ଥାପନ କରିଛନ୍ତି। ବଞ୍ଚିବା ପାଇଁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ସହ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଲାଗି ଟାୱାର ସ୍ଥାପନ କରିବା ପରେ ଭୋଟ ଦେବୁ ବୋଲି କହିଛନ୍ତି। ଏନେଇ ଗ୍ରାମର ମହିଳାମାନେ ଗରା, ଡେକ୍‌ଚି ଓ କଳସୀ ଧରି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏହି ପଞ୍ଚାୟତର ୧୦ ନଂ. ୱାର୍ଡରେ ୫୩୯ ଓ ୧୧ ନଂ. ୱାର୍ଡରେ ୫୪୧ଜଣ ଭୋଟର ଅଛନ୍ତି। ୨ ଶହରୁ ଊର୍ଦ୍ଧ୍ୱ ପରିବାରର ମୋଟ ଜନସଂଖ୍ୟା ପ୍ରାୟ ୧୫ ଶହ। ଦୀର୍ଘଦିନ ଧରି ଗ୍ରାମରେ ଏକ ନଳକୂଅରୁ ନାଲି ଗୋଳିଆ ପାଣି ବାହାରୁଥିବାରୁ ପିଇବା ଅନୁପଯୋଗୀ ହୋଇଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଶୁଦ୍ଧ ପାନୀୟ ଜଳ ପାଇପାରୁ ନାହାନ୍ତି ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଇ ପାସୋରି ଯାଉଥିବାରୁ ଏଥର ଆଗ ପାଣି ଦିଅ ପରେ ଭୋଟ ନିଅ ବୋଲି ଭୋଟର ବାସନ୍ତୀ ସୋରେନ, ଗୌରୀ ସିଂ, ମିନାକ୍ଷୀ ସିଂ ପ୍ରମୁଖ ଦାବି କରିଛନ୍ତି। ନଚେତ୍‌ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି କଖାରୁଶୋଳ ଗ୍ରାମର ୩ ଓ ୪ ନଂ. ୱାର୍ଡରେ ମୋବାଇଲ ଟାୱାର ନ ଥିବାରୁ ଗଁା ମୁଣ୍ଡରେ ପ୍ରତିବାଦ ସ୍ବରୂପ ‘ଟାୱାର ନାହିଁ ତ ଭୋଟ ନାହିଁ’ ବୋଲି ବୋର୍ଡ ମାରିଛନ୍ତି ଲୋକେ। ଉକ୍ତ ୱାର୍ଡରେ ମୋଟ ୭୬୦ ଭୋଟର ରହିଥିବା ବେଳେ ଅନେକ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଗ୍ରାମକୁ ନେଟ୍‌ଓ୍ବର୍କ ପାଉ ନ ଥିବାରୁ ଲୋକେ ମୋବାଇଲ ଯୋଗେ କଥାବାର୍ତ୍ତା ହୋଇପାରୁ ନାହାନ୍ତି। କରୋନା ମହାମାରୀ ସମୟରେ ଅନ୍‌ଲାଇନ ପାଠପଢ଼ା ପାଇଁ ନିକଟସ୍ଥ ଗ୍ରାମକୁ ଯାଇ ଶିକ୍ଷା ଗ୍ରହଣ କରିବାକୁ ପଡୁଛି ବୋଲି ଛାତ୍ର ଚନ୍ଦ୍ର ଟୁଡୁ, ବିଜୁ ଲୁହାରୀ, ଛାତ୍ରୀ ଶୁଭସ୍ମିତା ସୋରେନ ଓ ପ୍ରିୟା ହେମ୍ବ୍ରମ ପ୍ରକାଶ କରିଛନ୍ତି। ଏହିସବୁ ସମସ୍ୟାର ସମାଧାନ କରା ନ ଗଲେ ଜନଅସନ୍ତୋଷ ତୀବ୍ର ରୂପ ଧାରଣ କରିବ ବୋଲି ଗ୍ରାମବାସୀ କଡ଼ା ଚେତାବନୀ ଦେଇଛନ୍ତି।

Share