ଡ. ଅଜୟ କୁମାର ପାତ୍ର
ବିନ୍ଦୁ ବିନ୍ଦୁ ପାଣିରେ ଅୟୁତ ଜୀବନ। ବିନ୍ଦୁ ବିନ୍ଦୁ ପାଣି ମିଶି ମହାସାଗର ହୋଇପାରିଛି। ପାଣିର ଏପରି ବିଶିଷ୍ଟ ଗୁଣ ଯୋଗୁ ଏହାକୁ ‘ସାର୍ବଜନୀନ ଦ୍ରାବକ’ କୁହାଯାଏ। ଅଧିକନ୍ତୁ ସୌର ପରିବାର ଏକମାତ୍ର ଜୀବଲୋକ ପୃଥିବୀକୁ ‘ଜଳସିକ୍ତ ଗ୍ରହ’ କୁହନ୍ତି । କାରଣ ପୃଥିବୀର ସମୁଦାୟ ଅଞ୍ଚଳରୁ ପ୍ରାୟ ୭୨ ପ୍ରତିଶତ ଅଞ୍ଚଳରେ ପାଣି ରହିଛି। ପ୍ରତ୍ୟେକ ଜୀବ ଶରୀରରେ ପ୍ରାୟ ୬୦ ରୁ ୮୦ ପ୍ରତିଶତ କେବଳ ପାଣି। ପୃଥିବୀର ସମୁଦାୟ ପାଣି ମଧ୍ୟରୁ କେବଳ ୯୭.୩ ପ୍ରତିଶତ ପାଣି ସାଗର ଓ ମହାସାଗରରେ ଗଚ୍ଛିତ। ଅବଶିଷ୍ଟ ୨.୭ ପ୍ରତିଶତ ପାଣି ମଧ୍ୟରୁ ୨.୪ ପ୍ରତିଶତ ବରଫ ଯାହାକି ଉତ୍ତରମେରୁ, ଦକ୍ଷିଣମେରୁ ଓ ପର୍ବତର ଶିଖରରେ ଜମିଛି। ୦.୧ ପ୍ରତିଶତ ପାଣି ଜଳୀୟ ବାଷ୍ପ ଆକାରରେ ବାୟୁମଣ୍ଡଳରେ ଥାଏ। ଅବଶିଷ୍ଟ ମାତ୍ର ୦.୨ ପ୍ରତିଶତ ପାଣି ଭୂତଳ ତଥା ନଦୀ, ଜଳାଶୟ, ପୋଖରୀ, ଝରଣାପାଣି ଯେଉଁ ପାଣି ଆମର ଦୈନନ୍ଦିନ ଜୀବନରେ ବ୍ୟବହୃତ ହୁଏ। ମାତ୍ର ୦.୨ ପ୍ରତିଶତ ଜଳ ସମ୍ପଦ ଆମ ପ୍ରତି ପ୍ରକୃତିର ଅବଦାନ। ପ୍ରକୃତିର ଅବଦାନକୁ ଆମେ ଯଦି ଯନତ୍ ସହକାରେ ନ ରଖୁ ତା’ହେଲେ ଭବିଷ୍ୟତରେ ଘୋର ଜଳ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ। ସମୁଦାୟ ଜଳକୁ ମଧ୍ୟ ନୀଳ ଜଳ ଓ ସବୁଜ ଜଳ ଭାବେ ବିଭକ୍ତ କରାଯାଇଛି। ଏହି ଦୁଇ ପ୍ରକାର ଜଳର ବିଶ୍ୱସ୍ତରୀୟ ଅନୁପାତ ଯଥାକ୍ରମେ ୩୫ ଓ ୬୯। ବିଭିନ୍ନ ଦେଶର ଏହି ଅନୁପାତ ଭିନ୍ନ ପ୍ରକାର। ନୀଳ ଜଳ କହିଲେ ନଦୀ,ପୋଖରୀ, ଜଳାଶୟ , ସାଗର ଓ ମହାସାଗର ଜଳକୁ ବୁଝାଏ। ମାତ୍ର ସବୁଜ ଜଳ କହିଲେ ମୃତ୍ତିକା ଜଳକୁ ବୁଝାଏ। ଏତଦ୍ବ୍ୟତୀତ ଜଳର ଅନ୍ୟ ଏକ ନାମ ହେଉଛି ଧୂସର ଜଳ। ପୃଥିବୀ ପୃଷ୍ଠର ପ୍ରଦୂଷିତ ଜଳକୁ ଧୂସର ଜଳ କୁହାଯାଏ। ବିଭିନ୍ନ କଳାକାରଖାନାରୁ ତଥା କୃଷିରୁ ଉପତ୍ନ୍ନ ଏକକ ପଦାର୍ଥ ପାଇଁ ଆବଶ୍ୟକ ଜଳକୁ ‘କାର୍ଯ୍ୟତଃ ଜଳ’ କୁହାଯାଏ। ଏକ ହେକ୍ଟର ପରିମିତ କ୍ଷେତରେ ଧାନ, ଗହମ ଓ ଆଳୁ ଉପତ୍ାଦନ ପାଇଁ ଆବଶ୍ୟକ ଜଳ ପରିମାଣ ଭିନ୍ନ ଭିନ୍ନ ହୋଇଥାଏ। ଏହି ଜଳର ବ୍ୟବହାର ମଧ୍ୟ ଅଶାତୀତ ଭାବେ ବଢିବାରେ ଲାଗିଛି।
ବର୍ତ୍ତମାନ ଓଡ଼ିଶାର ଜଳବାୟୁର ସ୍ଥିତି ଉପରେ ଆଲୋଚନା କରାଯାଉ। ଉତ୍ତପ୍ତ ଧରା , ଜଳୁଛି ଜଙ୍ଗଲ, ଜଳୁଛି ଜୀବନ। ମହାବିଷ୍ଣୁବ ସଂକ୍ରାନ୍ତି ତଥା ହିନ୍ଦୁ ନବବର୍ଷରୁ ରାଜ୍ୟରେ ବଢ଼ିଛି ଗ୍ରୀଷ୍ମପ୍ରବାହ। ମୁଣ୍ଡ ଫଟା ତାତିକୁ ପିଇବା ଓ ଜଳସେଚନ ପାଣିର ଘୋର ଅଭାବ ପରିଲକ୍ଷିତ ହେଉଛି। ଶୁଖିଯାଉଛି ରାଜ୍ୟର ଜୀବନରେଖା ମହାନଦୀ। ଯେଉଁ ନଦୀ ଦିନେ ଥିଲା ଚିରସ୍ରୋତା ତାହା ଆଜି ଜରାଜୀର୍ଣ୍ଣ। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଜଳବାୟୁର ନକାରାମତ୍କ ପ୍ରଭାବ ସହିତ ଘୋର ଜଳ ସଙ୍କଟ କାହିଁକି ଆଜି ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି? ଭାରତ ସରକାରଙ୍କ ହିସାବ ନିୟନ୍ତ୍ରଣକାରୀ ଅଧିକାରୀ ଏବଂ ସମୀକ୍ଷକ ମୁଖ୍ୟଙ୍କ ଦ୍ୱାରା ପ୍ରକାଶିତ ସଦ୍ୟ ତଥ୍ୟାନୁଯାୟୀ ଓଡ଼ିଶାର ପରିଚାଳନା ତ୍ରୁଟି ତଥା ନଦୀ ସହ ନଦୀର ସଂଯୋଗରେ ଅଭାବ ଯୋଗୁ ୮୦ ରୁ ୯୦ ପ୍ରତିଶତ ବର୍ଷାଜଳ ସିଧାସଳଖ ସମୁଦ୍ରରେ ମିଶୁଛି। ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମପଙ୍ଗ ଓ ଛତିଶଗଡ଼ରୁ ଓଡ଼ିଶା ଦେଇ ପ୍ରବାହିତ ବିଭିନ୍ନ ନଦୀ ଜରିଆରେ ରାଜ୍ୟକୁ ୩୫.୫୬ ଶହ କୋଟି ଘନମିଟର ଜଳ ପ୍ରବେଶ କରୁଛି। ମାତ୍ର ୨୦୨୫ ବେଳକୁ ଏହି ପରିମାଣ ୨୫.୨୭ ଶହ କୋଟି ଘନମିଟରକୁ ହ୍ରାସ ପାଇପାରେ। ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟ ଶିଳ୍ପର ରୂପାୟନ ପାଇଁ ପ୍ରଚୁର ପରିମାଣରେ ନଦୀଜଳ ଶୋଷଣ କରୁଛନ୍ତି । କେବଳ ଗ୍ରୀଷ୍ମଋତୁର ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଯଥାକ୍ରମେ ୭୨ ପ୍ରତିଶତ, ୮୭ ପ୍ରତିଶତ ଓ ୪୯ ପ୍ରତିଶତ ପାଣି ନଦୀରୁ ଶୋଷଣ କରିଥାନ୍ତି। ବୈଜ୍ଞାନିକ ତଥ୍ୟାନୁସାରେ କଳକାରଖାନାରୁ ନିର୍ଗତ ୧ ଲିଟର ଖଦଡ଼ା ପାଣି ପ୍ରାୟ ୪୦ ଲିଟର ସ୍ବଚ୍ଛ ନଦୀ ପାଣିକୁ ପ୍ରଦୂଷିତ କରିଥାଏ। ପୁନଶ୍ଚ ୧ଲିଟର ପ୍ରଦୂଷିତ ପାଣିକୁ ନଦୀ ତା’ର ନିଜସ୍ବ ଶକ୍ତି ମାଧ୍ୟମରେ ପରିଷ୍କରଣ କରିବା ପାଇଁ ୫୦ ଲିଟର ସ୍ବଚ୍ଛ ପାଣି ଆବଶ୍ୟକ କରିଥାଏ। ଏହାଦ୍ୱାରା ଜଳ ଉତ୍ସର କେତେ କ୍ଷତି ହେଉଛି ତାହା ଅନୁମେୟ। ପ୍ରାୟ ୫୦ ବର୍ଷ ପୂର୍ବେ ନଦୀତଟ, ଜଳାଶୟ, ହ୍ରଦ, ପୋଖରୀ ଓ ଝରଣା କୂଳରେ ଶୋଭାପାଉଥିବା ଘନ ଜଙ୍ଗଲ, ବୃକ୍ଷରାଜି ସମୂହ ମଣିଷଙ୍କ ଲୋଭ ଯୋଗୁ ଆଜି ଶ୍ମଶାନ ପାଲଟିଛି। ଏହାଦ୍ୱାରା ବର୍ଷାଋତୁରେ ପ୍ରବଳ ବର୍ଷାରେ ମୃତ୍ତିକା ଧୋଇହୋଇ ଏ ସମସ୍ତ ଜଳରାଶି ପୋତିହୋଇ ଅଗଭୀର ହେବା ଓ ଜଳ ଧାରଣର ଶକ୍ତି କାଳକ୍ରମେ ହରାଇ ବସିବା ଫଳରେ କ୍ଷିପ୍ର ବାଷ୍ପୀକରଣ ପ୍ରକ୍ରିୟାରେ ନଦୀ, ନାଳ, ପୋଖରୀ, ଜଳାଶୟ ଶୀଘ୍ର ଶୁଷ୍କ ହୋଇଯାଉଛି। ଜଙ୍ଗଲ ଓ ବୃକ୍ଷରାଜି ଲୋପ ପାଇବା, କୃଷିଭୂମିରେ ଅପର୍ଯ୍ୟାପ୍ତ କୀଟନାଶକ ଓ ବହୁଳ ପଲିଥିନର ବ୍ୟବହାର ଯୋଗୁ ଭୂତଳ ଜଳ ସ୍ତର ଧୀରେ ଧୀରେ ନିମ୍ନଗାମୀ ହେବା ସହ ଦୂଷିତ ହେଉଛି। ସର୍ବୋପରି ଆଜି ନଦନଦୀ, ନାଳ, ପୋଖରୀ ଓ ଜଳାଶୟର ବାସ୍ତବ ଡାକ୍ତର ମାଛ, କମ୍ପାଉଣ୍ଡର ଜଳଜ ପ୍ରାଣୀ-କୀଟ ଓ ଧାଈ ଜଳଜ ଶୈବାଳର ଘୋର ଅଭାବ ସହିତ ଖାଦ୍ୟଶୃଙ୍ଖଳ ଛିନ୍ନଭିନ୍ନ ହୋଇଛି।
ତା’ହେଲେ ଆମେ କ’ଣ ହାତଯୋଡ଼ି ଆମର ଅନ୍ଧକାର ଭବିଷ୍ୟତକୁ ଆମନ୍ତ୍ରଣ କରିନେବା? ଆମର ଆଗାମୀ ପିଢ଼ିମାନେ କ’ଣ ଆମ କୃତକର୍ମର କୁଫଳ ଭୋଗକରି ଏକ ରୁଗ୍ଣ ପୃଥିବୀରେ ବାସ କରିବେ? ଏହାର ଠିକ୍ ଉତ୍ତର ଆମର ସଚେତନତା, ସତର୍କତା ଓ ସୁଚିନ୍ତିତ ପଦକ୍ଷେପ ଉପରେ ନିର୍ଭରଶୀଳ। ଆମକୁ କିଛି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। (୧) ସମସ୍ତ ପ୍ରକାର ଜଳଉସତ୍ ତଟକୁ ସୁରକ୍ଷିତ ତଥା ମୃତ୍ତିକା ଧାରଣ ପାଇଁ ବୃକ୍ଷ ଓ ଗୁଳ୍ମ ରୋପଣ କରିବା ଉଚିତ। (୨) ସମସ୍ତ ପ୍ରକାର ଜଳଉତ୍ସରୁ ପଙ୍କ ଉତ୍ତୋଳନକରି ଗଭୀର କରିବା, ଯେପରି ଅଧିକରୁ ଅଧିକ ଜଳ ବହନ କରିପାରିବ। (୩) ସେଥିରେ ମାଛ ଯାଆଁଳ ଛାଡ଼ି ଜଳୀୟ ଶକ୍ତି ଓ ସ୍ବାସ୍ଥ୍ୟ ବୃଦ୍ଧି କରିବା ସହ ବିଗିଡ଼ିଯାଇଥିବା ଖାଦ୍ୟଶୃଙ୍ଖଳକୁ ସଜାଡ଼ିିବାକୁ ପଡ଼ିବ। (୪) ବର୍ଷାପାଣିର ବୃହତ୍ତର ସଂରକ୍ଷଣ ଓ ଭୂତଳ ଜଳସ୍ତରର ଉନ୍ନତି ନିମନ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ, ନଦୀ ସହ ନଦୀର ସମ୍ମିଶ୍ରଣ ଓ ଏକାଧିକ ଜଳଭଣ୍ଡାର ଏବଂ ପୋଖରୀର ଆବଶ୍ୟକତା ରହିଛି। (୫) କୃଷିକ୍ଷେତ୍ରରେ କୀଟନାଶକ ଓ କୃତ୍ରିମ ସାରର ପ୍ରୟୋଗ ଯଥାସମ୍ଭବ ବନ୍ଦକରି ଜୈବିକ ସାରର ପ୍ରୟୋଗ ପ୍ରତି ଗୁରୁତ୍ୱ ଦେବା ଉଚିତ। (୭) ଅଧିକ ଜଳଭଣ୍ଡାର ନିର୍ମାଣର ଆବଶ୍ୟକତା ରହିଛି।
ସିଏଜିର ବିବରଣୀରେ ମଧ୍ୟ ଦର୍ଶାଯାଇଛି, ୨୦୨୫ ବେଳକୁ ବିଶ୍ୱର ଜଳ ସଙ୍କଟ ଗୁରୁତର ରୂପ ଧାରଣ କରିବ। ସେତେବେଳେ ବିଶ୍ୱରେ ‘ଜଳଯୁଦ୍ଧ’ ଆରମ୍ଭ ହୋଇଯିବ, ତାହା ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଇପାରେ। ତେଣୁ ନେଡ଼ିଗୁଡ଼ କହୁଣିକୁ ବୋହିଯିବା ଆଗରୁ ଆମକୁ ସାବଧାନ ହେବାକୁ ପଡ଼ିବ। ଜଳଯୁଦ୍ଧକୁ ରୋକିବାକୁ ପଡ଼ିବ, ଆଉ ଜୀବନକୁ ସୁଗମ ଓ ସ୍ବଚ୍ଛନ୍ଦ କରିବାକୁ ପଡ଼ିବ।
ପରିବେଶ ବିଜ୍ଞାନୀ
ମୋ: ୦୯୪୩୮୬୨୧୩୯୧