ଜୟପାଟଣା,୭।୧(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ଚଳିତ ରବିଚାଷ ପାଇଁ କେନାଲରେ ପାଣି ଛଡ଼ାଯାଇଛି। ଏଥିରେ ବାମ ଓ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ରବୀଚାଷ ପାଇଁ ଜଳ ସେଚନ ଆରମ୍ଭ କରାଯାଇଛି। ଜିଲାର ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା ଓ ଧର୍ମଗଡ ବ୍ଲକର ସର୍ବମୋଟ ୫୩,୩୭୪ ହେକ୍ଟର ଚାଷଜମିକୁ ଜଳ ସେଚନ ଯୋଗାଇ ଦିଆଯିବା ନେଇ ପଦକ୍ଷେପ ନିଆଯାଇଛି। ବାମ ମୁଖ୍ୟ କେନାଲରୁ ୫ କ୍ୟୁସେକ ଓ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ୩ କ୍ୟୁସେକପାଣି ନିଷ୍କାସନ କରାଯାଇଛି। ପର୍ଯ୍ୟାୟ କ୍ରମେ ଏହା ବୃଦ୍ଧି କରାଯିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଜଳ ସେଚନ ଆରମ୍ଭ ସମୟରେ ବାମ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ଇଂ ତୃପ କୁମାର ପାତ୍ର ଓ ଦକ୍ଷିଣ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ଇଂ ରାଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।