ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡ଼ାଗଲା ପାଣି

କୋକସରା,୧୦।୭(ଡି.ଏନ୍‌.ଏ.): ଚଳିତ ୨୦୨୨-୨୩ ଖରିଫ ଚାଷ ପାଇଁ କଳାହାଣ୍ଡି ଜିଲା ମୁଖୀଗୁଡ଼ାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ମେଗାଲିଫ୍ଟ କେନାଲ ମଙ୍ଗଳପୁର ବ୍ୟାରେଜରୁ ରବିବାର ପାଣି ଛଡାଯାଇଛି।

ଏହାଦ୍ୱାରା ଜୟପାଟଣା, କୋକସରା, ଧର୍ମଗଡ଼ ଏବଂ ଜୁନାଗଡ଼ ବ୍ଲକର ୨୫ ହଜାର ୨୭୫ ହେକ୍ଟର ଜମିରେ ଜଳସେଚନ ହେବା ସାଙ୍ଗକୁ ଚାଷକାର୍ଯ୍ୟ ହୋଇପାରିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଅବସରରେ ଉପର ଇନ୍ଦ୍ରାବତୀ ଡ୍ୟାମ୍‌ ନିର୍ବାହୀ ଯନ୍ତ୍ରୀ ଲିଫ୍ଟ କେନାଲ ଜଳସେଚନ କୁସୁମଖୁଣ୍ଟି ଇଂ. ଅକ୍ଷୟ କୁମାର ଭୋଇ, ଉପଖଣ୍ଡ ଇନ୍ଦ୍ରାବତୀ ଅଧିକାରୀ ଲିଫ୍ଟ କେନାଲ ମଙ୍ଗଳପୁର ଇଂ. ରାଜେଶ କୁମାର ପାତ୍ର, ଉପଖଣ୍ଡ ଅଧିକାରୀ ଲଡୁଗାଁ ଲିଫ୍ଟ ହେଡ ଚିଙ୍କୁରାଜ ପ୍ରଧାନ, ସହକାରୀ ଯନ୍ତ୍ରୀ ମିନିକେତନ ରଥ, ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ରଘୁ ପତି, ଇଂ. ସୌମେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ଜୟପାଟଣା ବ୍ଲକର ୭୬୬୮.୨ ହେକ୍ଟର, କୋକସରା ବ୍ଲକର ୧୧୩୦୧.୭୧ ହେକ୍ଟର, ଧର୍ମଗଡ଼ ବ୍ଲକର ୬୨୮୪.୮୩ ହେକ୍ଟର, ଜୁନାଗଡ଼ ବ୍ଲକର ୧୯.୯୩ ହେକ୍ଟର ମୋଟ ୨୫ ହଜାର ୨୭୫ ହେକ୍ଟର ଜମିରେ ପ୍ରଥମ ପର୍ଯ୍ୟାୟରେ ଜଳସେଚନ ଲାଗି ଏହି ପାଣି ଛଡାଯାଇଛି। ମଙ୍ଗଳପୁର ବ୍ୟାରେଜ ଗେଟ୍‌ରେ ପୂଜାର୍ଚ୍ଚନା ପରେ ପାଣି ଛଡା ଯାଇଥିବା ଏଲ୍‌ଏଣ୍ଡଟି କମ୍ପାନୀ କୁସୁମଖୁଣ୍ଟି ମେଗାଲିଫ୍ଟ କେନାଲ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ କହିଛନ୍ତି।

Share