ଛତ୍ରପୁର,୨।୬ (ଡି.ଏନ.ଏ.): ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀରୁ ଗଞ୍ଜାମ ବ୍ଲକ ଓ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକକୁ ପାଇପ ଯୋଗେ ପାଣି ଯୋଗାଣ ପାଇଁ ମେଗା ପ୍ରକଳ୍ପ ଲାଗି ପରିକଳ୍ପନା କରାଯାଇଛି। ବୁଧବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଡିଆରଡିଏର ଜଉଗଡ଼ ସମ୍ମିଳନୀ କକ୍ଷରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏହି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହାପୂର୍ବରୁ ସେ ପ୍ରକଳ୍ପ ସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ତେବେ ପ୍ରକଳ୍ପ ବହୁ ବିଳମ୍ବ ହୋଇଥିବା ସମୀକ୍ଷାରୁ ଜଣାପଡ଼ିଛି। ନିର୍ଦ୍ଧାରିତ ସମୟରେ କାମ ନ ସାରିଲେ ଠିକାଦାରଙ୍କୁ କଳା ତାଲିକା ଭୁକ୍ତ କରାଯିବ। ଏଥିସହ ଜରିିମାନା ପକାଇବା ଆରମ୍ଭ ହୋଇଛି ବୋଲି କୁହାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୨୦୩.୪୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ୨୦୧୮ ଅଗଷ୍ଟ ୨୮ରେ ଆରମ୍ଭ ହୋଇଥିବା ଏହି କାମ ପ୍ରଥମେ ୨୦୨୦ ଅଗଷ୍ଟ ୨୬ରେ ସାରିବା ଲକ୍ଷ୍ୟ ଥିଲା। ପରେ ଆସନ୍ତା ଅଗଷ୍ଟ ପର୍ଯ୍ୟନ୍ତ ଅବଧି ବଢ଼ାଯାଇଛି। କାର୍ଯ୍ୟ ଆହୁରି ବିଳମ୍ବ ହେବ ବୋଲି ଜଣାପଡିଛି। ଗଞ୍ଜାମ ବ୍ଲକର ୭ଟି ପଞ୍ଚାୟତର ୫୫ ଗାଁ ଓ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ୧୪ଟି ପଞ୍ଚାୟତର ୯୨ ଗାଁକୁ ଗଞ୍ଜାମ ଜିଲା ବରଦା ନିକଟ ଋଷିକୂଲ୍ୟା ନଦୀରୁ ଏହି ମେଗା ପ୍ରକଳ୍ପରୁ ପାଣି ମିଳିବା ଯୋଜନା ହୋଇଛି। ଏଥପାଇଁ ଇନଟେକ ୱେଲ ଓ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ ନିର୍ମାଣ ସରିଛି। ତେବେ ଜାତୀୟ ରାଜପଥ ଓ ରେଳପଥ ଦେଇ ପାଇପ ଯିବାକୁ ଥିବାରୁ ସମସ୍ୟା ଲାଗି ରହିଛି । ଏହା ଉପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଠିକାଦାର ସଂସ୍ଥାର ଅବହେଳା ଯୋଗୁ ଏହି ପ୍ରକଳ୍ପ ବିଳମ୍ବ ହେଉଥିବା ଆଲୋଚନା ହୋଇଥିଲା। ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବୈଠକରେ ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସର୍ବୋଚ୍ଚ ଯନ୍ତ୍ରୀ ହାଡୁବନ୍ଧୁ ବେହେରା, ମୁଖ୍ୟ ଯନ୍ତ୍ରୀ ସର୍ବେଶ୍ୱର ବାରିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ।