୧୬ରୁ ବାଘୁଆ ଜଳଭଣ୍ଡାରରୁ ଛଡ଼ାଯିବ ପାଣି

ବୁଗୁଡା,୯ା୧୨(ଡି.ଏନ.ଏ.): ବୁଗୁଡାସ୍ଥିତ ବାଘୁଆ ଜଳସେଚନ କାର୍ଯ୍ୟାଳୟରେ ରବି ଚାଷ ପାଇଁ ଚାଷୀମାନଙ୍କ କ୍ଷେତରେ ଜଳଯୋଗାଣ ନିମନ୍ତେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଘୁଆ ଜଳସେଚନ ସହ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳ ସଭାପତିତ୍ୱ କରିଥିଲେ। ନିର୍ବାହୀ ଯନ୍ତ୍ରୀ ବୈଠକରେ ବାଘୁଆ ଜଳଭଣ୍ଡାରରେ ଗଚ୍ଛିତ ଜଳ ସମ୍ପର୍କରେ ସୂଚନା ଦେଇ ରବି ଫସଲ ପାଇଁ ଜଳଭଣ୍ଡାରର ବାମ ଓ ଦକ୍ଷିଣ କେନାଲ ଦେଇ ୨୦ କିଲୋମିଟର ପର୍ଯ୍ୟନ୍ତ ଆସନ୍ତା ଜାନୁୟାରୀ ୧୬ତାରିଖ ଠାରୁ ବିଭିନ୍ନ ୫ ଟି ପର୍ଯ୍ୟାୟରେ କ୍ଷେତକୁ ଜଳଯୋଗାଣ ପାଇଁ ସୂଚନା ଦେଇଥିଲେ। ଏଥିସହ ଜଳର ସୁଷମ ବଣ୍ଟନରେ ପୂର୍ଣ୍ଣ ସହଯୋଗ ସକାଶେ ଚାଷୀମାନଙ୍କୁ ସେ ଅନୁରୋଧ କରିଥିଲେ। ବୈଠକରେ ବୁଗୁଡା ସହ କୃଷି ଅଧିକାରୀ ନିହାର ରଂଜନ ପୃଷ୍ଟି ଓ ପୋଲସରା ସହ କୃଷି ଅଧିକାରୀ ଅର୍ଜୁନ ଚନ୍ଦ୍ର ସାହୁ ଯୋଗଦେଇ ଏ ସମ୍ପର୍କରେ ଆଲୋଚନା କରିଥିଲେ। ସହକାରୀ ଯନ୍ତ୍ରୀ ବୈଜୟନ୍ତୀ ସାହୁ ସ୍ବାଗତ ଭାଷଣ ଦେଇଥିଲା ବେଳେ ଅନ୍ୟତମ ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଉପସ୍ଥିତ ଚାଷୀମାନେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ।