କେନ୍ଦୁଝର ଜିଲାରେ ରହିଛି ବହୁ ପ୍ରାକୃତିକ ଜଳପ୍ରପାତ। ତନ୍ମଧ୍ୟରୁ କେତେକ ପର୍ଯ୍ୟଟନର ମାନ୍ୟତା ପାଇଥିବା ବେଳେ ଏବେବି ଅନେକ ଅପେକ୍ଷାରେ ରହିଛି। ସେହିପରି ଦୃଷ୍ଟି ଆଢୁଆଳରେ ରହିଥିବା ଏକ ଜଳପ୍ରପାତ ବାଂଶପାଳ ବ୍ଲକ ଉପର ବାଲି ଗ୍ରାମ ନିକଟରେ ରହିଛି।
ବଣପାହାଡ଼ ଘେରା ଏହି ଗ୍ରାମ ନିକଟରେ ବୋହି ଯାଉଥିବା ଏକ ଝରଣା ଉକ୍ତ ସ୍ଥାନରେ ପ୍ରାୟ ୩୦ ଫୁଟରୁ ଅଧିକ ଉଚ୍ଚରୁ ଖସି ଏକ ମନୋରମ ଜଳପ୍ରପାତ ସୃଷ୍ଟି କରିଛି। ଏହା ସମ୍ପୂର୍ଣ୍ଣ ଭାବରେ ନଜର ଆଢୁଆଳରେ ରହିଯାଇଥିଲାବେଳେ ସ୍ଥାନୀୟ ଜୁଆଙ୍ଗ ପିଲାମାନେ ଏଠାରେ ଜଳକ୍ରୀଡ଼ାର ମଜା ଉଠାଉଛନ୍ତି। ଏହାକୁ ସେମାନେ ଖଣ୍ଡାଧାର ବୋଲି କହୁଛନ୍ତି। କାରଣ ଖଣ୍ଡାଧାର ଜଳପ୍ରପାତ ଭଳି ଏହା ଦୃଶ୍ୟମାନ ହେଉଛି। ବିଶେଷକରି ପୁରାତନ ଜନଜାତି ଜୁଆଙ୍ଗ ପିଢ଼ ଅଞ୍ଚଳରେ ଏହି ସ୍ଥାନଟି ରହିଥିବାରୁ ଏହା ଅନେକ ଆନନ୍ଦ ଦେବା ସହ ଗବେଷଣାର ସୁଯୋଗ ସୃଷ୍ଟି କରିବ। ସେହିପରି ଏଠାରୁ ୧୫/୨୦ କିମି ଦୂରରେ ଗୋନାସିକା (ବୈତରଣୀ ନଦୀର ଉପତ୍ତ୍ତି ସ୍ଥଳ) ତଥା ଗୁପ୍ତଗଙ୍ଗା (ଜୁଆଙ୍ଗ ଜନଜାତିଙ୍କ ଉପତ୍ତ୍ତି ସ୍ଥଳ) ରହିଥିବାରୁ ଏହା ଏକ ବଡ଼ ପର୍ଯ୍ୟଟନର ସୁଯୋଗ ସୃଷ୍ଟି କରିବ। ଏହାର ବିକାଶ ହେଲେ ଜୁଆଙ୍ଗ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ସହ ପ୍ରକୃତିପ୍ରେମୀ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏଠାରୁ ପ୍ରାୟ ୩/୪ କିମି ଦୂରରେ ରହିଛି କାଇଁଝରୀ (ଘାଗରା) ଜଳପ୍ରପାତ। କାଇଁଝରୀ ନଦୀରେ ଏହି ଜଳପ୍ରପାତ ରହିଛି। ଏହା ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇ ନ ଥିଲେ ହେଁ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଏହାର ଉନ୍ନୟନ କାର୍ଯ୍ୟ କରାଯାଉଛି। ଏଠାକୁ ବହୁ ପର୍ଯ୍ୟଟକ ବୁଲିବା ଓ ଭୋଜି କରିବାକୁ ଆସିଥାନ୍ତି।
ଏହି ଦୁଇ କେନ୍ଦ୍ରର ଉନ୍ନତି ହେଲେ ପର୍ଯ୍ୟଟକଙ୍କୁ ଏକ ସଙ୍ଗରେ ବହୁ ସ୍ଥାନ ବୁଲିବାର ସୁଯୋଗ ମିଳିବ। ଏହି ରାସ୍ତାରେ ବାରାଗଡ଼ ଗ୍ରାମକୁ ଗଲେ ରାସ୍ତାର ଉଭୟ ପାର୍ଶ୍ୱରେ ବିସ୍ତୀର୍ଣ୍ଣ ପାହାଡ଼, ବର୍ଷା/ଶୀତ ଋତୁରେ ଭାସମାନ ମେଘମାଳାର ସୌନ୍ଦର୍ଯ୍ୟ, ଦେଶର ବିଭିନ୍ନ ହିଲ୍ ଷ୍ଟେଶନରେ ଦେଖିବାକୁ ମିଳୁଥିବା ଦୃଶ୍ୟ ସହିତ ସମାନ ହେବ। ଏହି ସ୍ଥାନ ଅତ୍ୟନ୍ତ ମନୋରମ ହୋଇଥିବାରୁ ଏହାର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି।
– ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର