Categories: ଫୁରସତ

ମହାରାଷ୍ଟ୍ରର ଜଳପ୍ରପାତ

ଖରାଦିନେ ପାଣି ପାଖରେ ସମୟ କାଟିଲେ ନିଆରା ଆନନ୍ଦ ମିଳେ। ତେଣିକି ସେ ନୀଳ ସମୁଦ୍ର ହେଉ ଅବା ଜଳପ୍ରପାତ ବା ଝରଣାର ଜଳ। ମହାରାଷ୍ଟ୍ରରେ କିନ୍ତୁ ଏସବୁ କିଛି ଉପଲବ୍ଧ। ହେଲେ ବେଶୀ ଭିଡ଼ ଦେଖିବାକୁ ମିଳେ ସମୁଦ୍ରତଟରେ। ତେଣୁ ଯେଉଁମାନଙ୍କୁ ଭିଡ଼ ପସନ୍ଦ ନୁହେଁ ଅଥଚ ପାଣିର କଳକଳ ନାଦ ପ୍ରିୟ ଲାଗେ ସେମାନଙ୍କ ପାଇଁ ମହାରାଷ୍ଟ୍ରର କେତୋଟି ଲୋକପ୍ରିୟ ଜଳପ୍ରପାତ ସମ୍ପର୍କରେ ଏଠାରେ ଉଲ୍ଲେଖ କରାଗଲା। ଯେଉଁଠାକୁ ପରିବାର ସଙ୍ଗେ ବୁଲିଯାଇ ପର୍ଯ୍ୟଟକ ନିଆରା ଆନନ୍ଦ ଲଭିବା ସହ ଖରାଦିନେ ଶାନ୍ତି ଅନୁଭବ କରିପାରିବେ…

 

ମାଲସେଜ ଜଳପ୍ରପାତ: କଳକଳ ନାଦ କରି ବୋହି ଯାଉଥିବା ଏହି ଜଳପ୍ରପାତର ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ବର୍ଷକ ବାରମାସ ଏଠାକୁ ଯିବାର ସୁବିଧା ରହିଛି। ଏଠାକୁ ବୁଲିଯିବା ପାଇଁ କୌଣସି ଏଣ୍ଟ୍ରି ଟିକେଟ୍‌ ପଡେନାହିଁ।
ପାଣ୍ଡଭକଡ଼ା ଜଳପ୍ରପାତ: ଫ୍ୟାମିଲି ପିକ୍‌ନିକ୍‌ ପାଇଁ ଏହି ସ୍ଥାନଟି ବେଷ୍ଟ ହୋଇଥାଏ। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ଗାଧୋଇବାର ମଧ୍ୟ ସୁବିଧା ରହିଛି। ପ୍ରାୟ ୧୦୭ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତରୁ ଝରି ଆସୁଥିବା ଜଳଧାରା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏଠାକୁ ବୁଲିଯିବା ପାଇଁ ପର୍ଯ୍ୟଟକଙ୍କୁ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ମିଳେ। କିନ୍ତୁ କୌଣସି ଏଣ୍ଟ୍ରି ଟିକେଟ୍‌ ପଡେ ନାହିଁ।
ରାନ୍ଧା ଜଳପ୍ରପାତ: ଏହା ମଧ୍ୟ ମହାରାଷ୍ଟ୍ରସ୍ଥିତ ଅନ୍ୟତମ ଲୋକପ୍ରିୟ ଜଳପ୍ରପାତ। ପ୍ରାୟ ୧୭୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତରେ ଆସୁଥିବା ଜଳର ସ୍ରୋତ କିନ୍ତୁ ଖୁବ୍‌ ପ୍ରଖର ହୋଇଥାଏ। ବିଶେଷକରି ବର୍ଷାଦିନେ ତ ଏହାର ପ୍ରକୃତ ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ ହୋଇଥାଏ। ସେଥିପାଇଁ ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କର ଗହଳି ଦେଖିବାକୁ ମିଳେ। ଏଣ୍ଟ୍ରି ଟିକେଟ୍‌ ନଥିବାରୁ ପର୍ଯ୍ୟଟକଙ୍କୁ ବୁଲିବାକୁ ସୁବିଧା ହୁଏ।
ଚାଇନାମ୍ୟାନ୍ସ ଜଳପ୍ରପାତ: ସୂଚନାନୁଯାୟୀ, ଏହି ଜଳପ୍ରପାତ ନିକଟରେ ଏକ ଗାର୍ଡେନ୍‌ ଥିବାର ଦେଖିବାକୁ ମିଳେ, ଯାହାକୁ ପୂର୍ବେ ଚାଇନାର କିଛି ଲୋକ ବୁଝାବୁଝି କରୁଥିଲେ। ସେଥିପାଇଁ ଏହାର ଏପରି ନାମକରଣ ହୋଇଥିବା ଜଣାଯାଏ। ତେବେ ପ୍ରାୟ ୫୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟିର ଆକର୍ଷଣୀୟ ରୂପକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ଏଠାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ମିଳିଥାଏ।
ଧୋବି ଜଳପ୍ରପାତ: ବର୍ଷର ସବୁ ସମୟରେ ବୁଲିଯିବା ଭଳି ଏହା ହେଉଛି ମହାରାଷ୍ଟ୍ରସ୍ଥିତ ଅନ୍ୟଏକ ଲୋକପ୍ରିୟ ଜଳପ୍ରପାତ। ପର୍ଯ୍ୟଟକଙ୍କୁ ଏଠାରେ ସକାଳ ୬ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୁଲିବାକୁ ଅନୁମତି ମିଳେ, ତା’ ପୁଣି ସମ୍ପୂର୍ଣ୍ଣ ମାଗଣାରେ।
ସହସ୍ରକୁଣ୍ଡ ଜଳପ୍ରପାତ: ମାତ୍ର ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟିର ପ୍ରାକୃତିକ ପରିବେଶ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାଏ। ଏଠାକାର ଶୀତଳ ଜଳରାଶିରେ ଗାଧୋଇ ପଡିଲେ ଖରାଦିନେ ବେଶ୍‌ ଆରାମ ଲାଗେ। ପରିବାର ସହିତ ନିରୋଳାରେ ସମୟ ବିତାଇବା ପାଇଁ ଏହି ସ୍ଥାନଟି ପରଫେକ୍ଟ ହୋଇଥାଏ।
ଜେନିଥ୍‌ ଜଳପ୍ରପାତ: ୫୦ରୁ ୯୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପାହାଡରୁ ଝରି ଆସୁଥିବା ଏହି ଜଳପ୍ରପାତଟିର ସୌନ୍ଦର୍ଯ୍ୟ ଦେଖିବାକୁ ବେଶ୍‌ ମନଲୋଭା ହୋଇଥାଏ। ପର୍ଯ୍ୟଟକଙ୍କ ପାଇଁ ଏହା ବର୍ଷକ ବାରମାସ ଖୋଲା ରହିଥାଏ। ପ୍ରବେଶ ନିଃଶୁଳ୍କ ହୋଇଥିବାରୁ ପର୍ଯ୍ୟଟକଙ୍କର ବି ବେଶ୍‌ ଭିଡ଼ ଜମେ ଏଠାରେ।
ଭିହିଗାଓଁ ଜଳପ୍ରପାତ: ୧୦୦ରୁ ୧୨୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟି ମହାରାଷ୍ଟ୍ରର ଅନ୍ୟତମ ପ୍ରସିଦ୍ଧ ଜଳପ୍ରପାତ ଅଟେ। ବିଶେଷକରି ବର୍ଷାଦିନେ ଏହି ଜଳପ୍ରପାତଟିର ସୌନ୍ଦର୍ଯ୍ୟ ଆହୁରି ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ବର୍ଷର ସବୁ ସମୟରେ ମୁଖ୍ୟତଃ ବର୍ଷାଦିନେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି।
କେବଳ ଏତିକି ନୁହେଁ, ଲିଙ୍ଗାମାଲା ଜଳପ୍ରପାତ, ଅମ୍ବୋଲି ଜଳପ୍ରପାତ, ଦବଦବା ଜଳପ୍ରପାତ, ତାମହିନି ଜଳପ୍ରପାତ, ଥୋସ୍‌ଘର୍‌ ଜଳପ୍ରପାତ, ନାନ୍‌ଗର୍‌ଟାସ୍‌ ଜଳପ୍ରପାତ ଇତ୍ୟାଦି ହେଉଛି ମହାରାଷ୍ଟ୍ରସ୍ଥିତ ଆଉ କିଛି ପ୍ରମୁଖ ଜଳପ୍ରପାତ।

Share