Categories: ଜାତୀୟ

ଘୋଷଣା ହେଲା ଓ୍ବାୟନାଡ ଉପ-ନିର୍ବାଚନ, କଂଗ୍ରେସରୁ ଲଢିବେ…

ଓ୍ବାୟନାଡ,୧୫।୧୦: ଭାରତୀୟ ନିର୍ବାଚନ କମିଶନର ଆଜି ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥିସହ କେରଳର ୱାୟନାଡ ଲୋକ ସଭାର ଉପ-ନିର୍ବାଚନର ତାରିଖ ମଧ୍ୟ ଘୋଷଣା ହୋଇଛି। ୨୦୨୪ ଲୋକ ସଭା ନିର୍ବାଚନବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏଠାରେ ରେକର୍ଡ ବିଜୟ ହାସଲ କରିଥିଲେ। ଏଥିସହ ସେ ରାଏବରେଲୀରୁ ମଧ୍ୟ ଜିତିଥିଲେ। ରେଜଲ୍ଟ ବାହାରିବା ପରେ ତାଙ୍କୁ ୱାୟନାଡ ଆସନ ଛାଡିବାକୁ ପଡିଥିଲା। ପରେ ଏଠାରେ ଆସନ ଖାଲି ପଡିବାରୁ ଇସି ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଉପ-ନିର୍ବାଚନରେ କଂଗ୍ରେସ ପକ୍ଷରୁ ୱାୟନାଡରୁ ପ୍ରିୟଙ୍କା ଗାନ୍ଧୀ ଲଢିବେ।

ମୁଖ୍ୟ ନିର୍ବାଚନ କମିଶନର ରାଜବୀ କୁମାରଙ୍କ ଘୋଷଣା ଅନୁଯାୟୀ, କେରଳର ୱାୟନାଡ ଲୋକ ସଭା ଆସନରେ ଉପ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗ୍ୟାଜେଟ ନୋଟିଫିକେସନ ୧୮ ଅକ୍ଟୋବରରେ ପ୍ରକାଶ ପାଇବ। ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଥିବା ବେଳେ ପ୍ରତ୍ୟାହାର ପାଇଁ ଅକ୍ଟୋବର ୩୦କୁ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୩ରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ଏହାବାଦ ଦେଶର ବିଭିନ୍ନ ପ୍ରାନ୍ତରେ ଖାଲି ପଡିଥିବା ୪୭ଟି ବିଧାନସଭା ଆସନରେ ମଧ୍ୟ ଉପ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ। ମହାରାଷ୍ଟ୍ରର ଗୋଟିଏ ଲୋକ ସଭା ଆସନ ଓ ଉତ୍ତରାଖଣ୍ଡର ଗୋଟିଏ ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। ଏହି ଆସନଗୁଡିକ ଭୋଟ ଗଣତି ସହ ରେଜଲ୍ଟ ନଭେମ୍ବର ୨୩ରେ ପ୍ରକାଶ ପାଇବ।

Share