ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ। କାରଣ ଏଥିରେ ଭରି ରହିଥାଏ ଅନେକ ଔଷଧୀୟ ଗୁଣ। ଯେମିତି କି: ଅଁଳା: ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍ସରେ ଭରା ଅଁଳା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ବ୍ରଣ ସମସ୍ୟାରୁ ମୁକ୍ତି ଦେଇଥାଏ। କ୍ୟାନ୍ସର ସହ ଲଢିବା ତଥା କେଶରେ ପ୍ରାକୃତିକ ଚମକ୍ ବି ଆଣିଥାଏ। ଡାଲ୍ଚିନି: କୋଲେଷ୍ଟରଲ୍ ଓ ବ୍ଲଡ୍ ସୁଗାର୍କୁ ନିୟନ୍ତ୍ରଣରେ ରଖିବା ସହ ଓଜନ କମାଇବାରେ ଏହା ସହାୟକ ହୁଏ। ମହୁ ସହିତ ଡାଲ୍ଚିନି ଗୁଣ୍ଡ ଖାଇଲେ ଆର୍ଥ୍ରାଇଟିସ୍ ରୋଗୀଙ୍କୁ ଆରାମ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଅଦା-ରସୁଣ: ସ୍ମରଣଶକ୍ତି ଓ ଭୋକ ବୃଦ୍ଧି କରାଇବା, ଗ୍ୟାସ୍, ଆର୍ଥ୍ରାଇଟିସ୍, ସ୍ପଣ୍ଡିଲାଇଟ୍ସ, ଥଣ୍ଡାକାଶ ଆଦି ସମସ୍ୟାରୁ ଅଦା ମୁକ୍ତି ଦିଏ। ଆଉ ରସୁଣ କୋଲେଷ୍ଟରଲ୍, ବ୍ଲଡ୍ ପ୍ରେସର୍କୁ ନିୟନ୍ତ୍ରଣରେ ରଖେ ଓ ଥଣ୍ଡାଜନିତ ରୋଗରୁ ରକ୍ଷା ଦେଇଥାଏ। ମହୁ: ମହୁ ଓ ଅଦା ରସ ଖାଇଲେ ଥଣ୍ଡାକାଶରୁ ମୁକ୍ତି ମିଳେ। ଏହା ହିମୋଗ୍ଲୋବିନ୍କୁ ବି ବଢ଼ାଏ। ଖଣ୍ଡିଆ କିମ୍ବା ପୋଡାଜଳା ସ୍ଥାନରେ ମହୁ ଲଗାଇଲେ ବେଶ୍ ଆରାମ ଲାଗେ। ଗୁଡ: ଥଣ୍ଡା ସମସ୍ୟା ସହିତ ଗଳା ଓ ପେଟ ସମ୍ବନ୍ଧୀୟ ନାନାଦି ରୋଗରୁ ଏହା ଉପଶମ ଦେଇଥାଏ। ଥକ୍କାପଣରୁ ବି ଏହା ମୁକ୍ତି ଦିଏ। ଲେମ୍ବୁ: ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ, ଫ୍ରେଶ୍ ଅନୁଭବ ହୁଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା, କୋଲେଷ୍ଟରଲ୍କୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ଏହା ବେଶ୍ ସହାୟକ ହୋଇଥାଏ।