Categories: ଜାତୀୟ

ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ: ଏକନାଥ ଶିନ୍ଦେ

ମୁମ୍ବାଇ,୪।୮: ମରାଠା ସଂରକ୍ଷଣ ଦାବିରେ ମହାରାଷ୍ଟ୍ରର ଜଲନା ଜିଲାରେ ହିଂସା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ। ସେ କହିଛନ୍ତି ଯେ, ମୋର ସରକାର ରାଜ୍ୟର ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ସମ୍ପ୍ରଦାୟ ଉପଯୁକ୍ତ ସଂରକ୍ଷଣ ନ ପାଇବା ପର୍ଯ୍ୟନ୍ତ ଆମେ ଚୁପ ରହିବୁ ନାହିଁ। ଯେପର୍ଯ୍ୟନ୍ତ ମରାଠା ସମ୍ପ୍ରଦାୟର ସଂରକ୍ଷଣ ନ ମିଳିଛି ସେପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବା ସରକାରୀ ଯୋଜନା ଜାରି ରହିବ ଏବଂ ମରାଠା ସମ୍ପ୍ରଦାୟର ଯୋଗ୍ୟ ବ୍ୟକ୍ତିଙ୍କୁ ଏହାର ଲାଭ ମିଳିବ। ଶିନ୍ଦେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସହ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୌଣସି ଭୁଲ ବୁଝାମଣା ନାହିଁ ଏବଂ ସେମାନେ ସମସ୍ତେ ଏକ ଭଲ ଦଳ ଭାବରେ କାର୍ଯ୍ୟ କରୁଛନ୍ତି।
ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବିରେ ଚାଲିଥିବା ଆନ୍ଦୋଳନ ଶୁକ୍ରବାର ଦିନ ଜଲନାର ଆଣ୍ଟାରୱାଲୀ ସରାଟୀ ଗ୍ରାମରେ ହିଂସାତ୍ମକ ରୂପ ନେଇଥିଲା। ଏଥିରେ ପୋଲିସ କର୍ମଚାରୀଙ୍କ ସମେତ ବହୁ ଲୋକ ଆହତ ହୋଇଥିଲେ। ହିଂସାତ୍ମକ ଜନତାଙ୍କୁ ଅଟକାଇବା ପାଇଁ ପୋଲିସ ଲାଠିଚାର୍ଜ ସହ ଲୁହବୁହା ଗ୍ୟାସ ପକାଇଥିଲା। ହିଂସା ଘଟଣାରେ ପୋଲିସ ୩୬୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଚାକିରି ତଥା ଶିକ୍ଷା କ୍ଷେତ୍ରରେ ମରାଠା ସମ୍ପ୍ରଦାୟକୁ ରାଜ୍ୟ ସରକାର ପ୍ରଦାନ କରିଥିବା ସଂରକ୍ଷଣକୁ ଅନ୍ୟାନ୍ୟ କାରଣ ମଧ୍ୟରେ ମୋଟ ସଂରକ୍ଷଣର ୫୦ ପ୍ରତିଶତ ସର୍ବୋଚ୍ଚ ସୀମା ଦର୍ଶାଇ ମେ ୨୦୨୧ରେ ସୁପ୍ରିମକୋର୍ଟ ବାତିଲ କରିଥିଲେ।

Share