ମୁମ୍ବାଇ,୭।୪: ଆଇପିଏଲ୍ ୨୦୨୧ ଆରମ୍ଭ ପାଇଁ ଆଉ ୨ ଦିନ ବାକି ଅଛି । ଏଥର ଉଦଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ। ଏଥିପାଇଁ ଉଭୟ ଦଳ ଅଭ୍ୟାସ କରୁଛନ୍ତି। ଏହି ସମୟରେ ମୁମ୍ବାଇ ଦଳର ଅଲ-ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ଏକ ଭିଡିଓ ନିଜ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କ ଉପରେ ଏବଂ ତାଙ୍କ ସହ ଥିବା ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ଏହି ଭିଡିଓରେ କ୍ରୁନାଲ ତାଙ୍କ ପିତାଙ୍କୁ ସ୍ମରଣ କରି ଭାବପ୍ରବଣ ହୋଇଥିଲେ।
ଏହି ଭିଡିଓରେ ପିତାଙ୍କୁ ମନେ ପକାଇ କ୍ରୁନାଲ ଭାବପ୍ରବଣ ହୋଇଥିଲେ। ସେ କହିଛନ୍ତି ଯେ, ଗତ ଦୁଇ ମାସ ମୋ ପାଇଁ ବହୁତ କଷ୍ଟସାଧ୍ୟ ରହିଛି। ପିତାଙ୍କର ମୃତ୍ୟୁ ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲି। ସେ ମଞ୍ଜି ବୁଣିଲେ ଏବଂ ମୁଁ ଏବଂ ହାର୍ଦ୍ଦିକ ଏହାର ଫଳ ଖାଉଛୁ। ମୁଁ ଅନୁଭବ କରୁଛି ଯେ ମୋ ହୃଦୟର ଏକ ଅଂଶ ତାଙ୍କ ସହିତ ସବୁଦିନ ପାଇଁ ଚାଲିଯାଇଛି। ଲୋକମାନେ କୁହନ୍ତି ଯେ, ସମୟ ସମସ୍ତ କ୍ଷତ ଭଲ କରିଥାଏ, କିନ୍ତୁ ମୁଁ ଅନୁଭବ କରେ ଯେ ଆଜି ପରେ ଯେତେବେଳେ ମୁଁ ଜୀବନରେ କିଛି ଭଲ କରିବି କିମ୍ବା ଗୋଟିଏ ପାଦ ଆଗକୁ ବଢିବି, ମୁଁ ତାଙ୍କୁ ସବୁବେଳେ ମନେ ରଖିବି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ,ଜାନୁୟାରୀ ୧୬ରେ କ୍ରୁନାଲ ଏବଂ ହାର୍ଦ୍ଦିକ ପିତାଙ୍କର ମୃତ୍ୟୁ ହୋଇଥିଲା।