Categories: ଖେଳ

ଆମେ ମାନସିକ ଓ ଶାରୀରିକ ସ୍ତରରେ ଦୃଢ଼ ହୋଇଛୁ: ଅସ୍ତାମ

ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ”ଆମେ ଶାରୀରିକ ଓ ମାନସିକ ସ୍ତରରେ ଦୃଢ଼ ହୋଇଛୁ। ବଡ଼ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି କଠିନ ପରିଶ୍ରମ କରିଛୁ। ପ୍ରତିଯୋଗିତାରେ ଭଲ ଆରମ୍ଭ ଆମର ମୁଖ୍ୟ ଲକ୍ଷ୍ୟ। ତେଣୁ ଆମେରିକା ବିପକ୍ଷ ପ୍ରଥମ ଗେମ୍‌ ଉପରେ ଫୋକସ କରୁଛୁ। ଯେ କୌଣସି ଦଳକୁ ଚ୍ୟାଲେଞ୍ଜ ଦେବାକୁ ଆମେ ପ୍ରସ୍ତୁତ“ ବୋଲି ସୋମବାର ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପର ଆମେରିକା ବିପକ୍ଷ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ଭାରତୀୟ ଦଳର ଅଧିନାୟିକା ଅସ୍ତାମ ଓରାଅନ। ମଙ୍ଗଳବାର ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିବ। ପରେ ୧୪ରେ ମରକ୍କୋ ଏବଂ ୧୭ରେ ବ୍ରାଜିଲ ସହିତ ମୁକାବିଲା କରିବ। ଝାଡ଼ଖଣ୍ଡର ଓରାଅନ ଆହୁରି କହିଛନ୍ତି, ଝାଡ଼ଖଣ୍ଡ ସରକାରଙ୍କ ସମର୍ଥନ ଓ ସହଯୋଗ ଯୋଗୁ ସେଠାରେ ମହିଳା ଫୁଟ୍‌ବଲର ବହୁତ ଉନ୍ନତି ହୋଇଛି। ଏଠାରେ ଓଡ଼ିଶା ସରକାର ମଧ୍ୟ କ୍ରୀଡ଼ା ଭିତ୍ତିଭୂମିକୁ ଦୃଢ଼ କରିଛନ୍ତି। ଏଠାରେ ଆମର ଅଭ୍ୟାସ ବହୁତ ଭଲ ରହିଛି। ବହୁସଂଖ୍ୟାରେ ଦର୍ଶକ ଷ୍ଟାଡିୟମକୁ ଆସି ଆମକୁ ଉତ୍ସାହିତ କରନ୍ତୁ। ଏହାଦ୍ୱାରା ଆମର ପ୍ରଦର୍ଶନ ନିଶ୍ଚିତ ଭଲ ହୋଇପାରିବ। ଭାରତୀୟ ଦଳରେ ସାମିଲ ହୋଇଥିବାରୁ ପରିବାର ସଦସ୍ୟ ବହୁତ ଖୁସି ଅଛନ୍ତି। କେବଳ ସେତିକି ନୁହେଁ, ଦଳର ଅଧିନାୟିକା ଭାବେ ମନୋନୀତ ହୋଇଥିବାରୁ ଆମ ଗାଁ ଲୋକମାନେ ଅତ୍ୟନ୍ତ ଆନନ୍ଦିତ। ସେମାନେ ମ୍ୟାଚ ଦେଖିବା ପାଇଁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି। ଏଠାରେ ଆମେ ମଧ୍ୟ ଆମେରିକା ବିପକ୍ଷ ମ୍ୟାଚ୍‌କୁ ଆଗ୍ରହର ସହ ଅପେକ୍ଷା କରିଛୁ। ପ୍ରଥମ ମ୍ୟାଚ୍‌ରେ ଭଲ କରିପାରିଲେ ଆମକୁ ଆଗକୁ ବଢ଼ିବା ସହଜ ହେବ।

Share