ବେଙ୍ଗାଲୁରୁ,୧।୮: ଚନ୍ଦ୍ରୟାନ-୩ ମିଶନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍୧ ଲଞ୍ଚ କରିବାକୁ ଯାଉଛି। ଆଜିଠାରୁ ଆଦିତ୍ୟ- ଏଲ୍୧ ଲଞ୍ଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହେବ ବୋଲି ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥ କହିଛନ୍ତି।
ଇସ୍ରୋ ଅଧ୍ୟକ୍ଷ ସୋମନାଥ କହିଛନ୍ତି, ଆମେ ବର୍ତ୍ତମାନ ଆଦିତ୍ୟ-ଏଲ୍୧ ଲଞ୍ଚ ପାଇଁ ପ୍ରସ୍ତୁତ ହେଉଛୁ। ରକେଟ-ଉପଗ୍ରହ ମଧ୍ୟ ପ୍ରସ୍ତୁତ। ଲଞ୍ଚ ରିହର୍ସାଲ ସମାପ୍ତ ହୋଇଛ। ଆଦିତ୍ୟ-ଏଲ୍୧ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ନିର୍ମିତ। ଏହା ବ୍ୟତୀତ ରୋଭର ପ୍ରଶ୍ନ ଉପରେ ସୋମନାଥ କହିଛନ୍ତି ଯେ ସବୁକିଛି ଠିକ ଚାଲିଛି। ଭଲ ତଥ୍ୟ ଯୋଗାଇବ। ଆମେ ଆଶା କରୁଛୁ ୧୪ ଦିନ ମଧ୍ୟରେ ଆମର ମିଶନ ସଫଳତାର ସହିତ ସମାପ୍ତ ହେବ।
ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ଲାଗି ଆଦିତ୍ୟ-ଏଲ୍୧କୁ ସେପ୍ଟେମ୍ବର ୨ ପୂର୍ବାହ୍ନ ୧୧ଟା ୫୦ ମିନିଟ୍ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସ୍ପେସ୍ ପୋର୍ଟରୁ ମହାକାଶକୁ ଛଡ଼ାଯିବ। ଏହି ମହାକାଶ ଯାନ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଏଲ୍୧ (ସୂର୍ଯ୍ୟ-ପୃଥିବୀର ଲାଗ୍ରାଞ୍ଜ ପଏଣ୍ଟ)ରୁ ସୋଲାର କରୋନା ଏବଂ ସୋଲାର ଓ୍ବିଣ୍ଡ୍ର ଅନୁଧ୍ୟାନ କରିବ। ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବାରେ ଏହା ଭାରତର ପ୍ରଥମ ସ୍ପେସ୍ ମିଶନ ହେବ। ସୂର୍ଯ୍ୟଙ୍କ ଫଟୋସ୍ପିୟର, କ୍ରୋମୋସ୍ପିୟର ଏବଂ ବାହ୍ୟ ସ୍ତର କରୋନାର ଅନୁଧ୍ୟାନ ଲାଗି ଉକ୍ତ ମହାକାଶ ଯାନରେ ବିଭିନ୍ନ ଓ୍ବେଭ୍ ବ୍ରାଣ୍ଡ୍ର ୭ଟି ପ୍ଲେଲୋଡ୍ ରହିବ।