Categories: ଖେଳ

୨୯ ଦିନରେ ପହଞ୍ଚିଲା ଆନ୍ଦୋଳନ: ନାର୍କୋ ଟେଷ୍ଟ ପାଇଁ ରେସ୍‌ଲରଙ୍କ ସହମତି

ନୂଆଦିଲ୍ଲୀ,୨୨ା୫: ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ସୋମବାର ୨୯ ଦିନରେ ପହଞ୍ଚିଛି। ଅଲିମ୍ପିକ୍ସ ପଦକ ବିଜୟୀ ରେସ୍‌ଲର ସାକ୍ଷୀ ମଲିକ୍‌ ଏବଂ ବଜରଙ୍ଗ ପୁନିଆଙ୍କ ସମେତ ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ଭିନେଶ ଫୋଗତ ଧାରଣାରେ ବସିଛନ୍ତି। ଇତିମଧ୍ୟରେ ଡବ୍ଲୁଏଫ୍‌ଆଇ ମୁଖ୍ୟ ରହିଥିବା ବ୍ରିଜ୍‌ଭୂଷଣ ଏକ ଫେସବୁକ୍‌ରେ ସେ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା ପୋଷ୍ଟ କରିଥିଲେ। ଏପରିକି ବଜରଙ୍ଗ ଏବଂ ଭିନେଶ ମଧ୍ୟ ନାର୍କୋ ଟେଷ୍ଟ ପାଇଁ ରାଜି ହେବା ଉଚିତ ବୋଲି ସେ ଲେଖିଥିଲେ।

ବଜରଙ୍ଗ ପୁନିଆ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଆମେ ମଧ୍ୟ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ। କେବଳ ଆନ୍ଦୋଳନରେ ବସିଥିବା ଖେଳାଳି ନୁହନ୍ତି ବରଂ ଯେଉଁମାନେ ପୀଡିତା ଅଛନ୍ତି ସେମାନେ ମଧ୍ୟ ଟେଷ୍ଟ ପାଇଁ ପ୍ରସ୍ତୁତ। ତେବେ ଏହି ଟେଷ୍ଟ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବା ଉଚିତ୍‌ ଏବଂ ଏଥିରେ କ’ଣ ପ୍ରଶ୍ନ କରାଯାଉଛି ତାହା ସମଗ୍ର ଦେଶବାସୀ ଜାଣିବା ଉଚିତ୍‌ ବୋଲି ସେ କହିଛନ୍ତି।

 

Share