Categories: ଜାତୀୟ

ଆମେ କରୋନାକୁ ପରାସ୍ତ କରିଛେ, ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ଅବିଶ୍ୱାସକୁ ମଧ୍ୟ ପରାଜିତ କରି ପାରିବା : ଜି-୨୦ ରେ ମୋଦି…

ନୂଆଦିଲ୍ଲୀ,୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଜି -୨୦ ସମ୍ମିଳନୀକୁ ସମ୍ବୋଧିତ କରି ସ୍ବାଗତ ଭାଷଣ ଦେଇଛନ୍ତି। ଦେଶକୁ ଆତ୍ମବିଶ୍ୱାସର ମନ୍ତ୍ର ପ୍ରଦାନ କରୁଥିବାବେଳେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ଅଧ୍ୟକ୍ଷତାରେ ‘ସବକା ସାଥ, ସବକା ବିକାଶ ଏବଂ ସବକା ପ୍ରୟାସ’ ବିଷୟରେ ଉଲ୍ଲେଖ କରିଛନ୍ତି।

ମୋରୋକୋରେ ହୋଇଥିବା ଭୂକମ୍ପରେ ଘଟିଥିବା ବିନାଶକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏହି ଦୁଃଖର ସମୟରେ ସମଗ୍ର ବିଶ୍ୱ ମୋରୋକୋ ସହିତ ଅଛି ଏବଂ ଭାରତ ସମସ୍ତ ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛି।

କୋଭିଡ ପରେ ସମଗ୍ର ବିଶ୍ୱ ଏବେ ବିଶ୍ୱାସର ଅଭାବ ସହିତ ସଂଘର୍ଷ କରୁଛି ଏବଂ ଯୁଦ୍ଧ ଏହାକୁ ଆହୁରି ଗୁରୁତର କରିଦେଇଛି ।

ସେ କହିଛନ୍ତି ଆମେ ଏପରି ଏକ ସମୟରେ ବାସ କରୁଛୁ ଯେତେବେଳେ ପୁରୁଣା ସମସ୍ୟାର ଉତ୍ତର ଖୋଜାଯାଉଛି। ଏପରି ପରିସ୍ଥିତିରେ, ମାନବ-କେନ୍ଦ୍ରିକ ପଥ ଅନୁସରଣ କରି ଆମର ଦାୟିତ୍ୱ ପୂରଣ କରିବାର ଆବଶ୍ୟକତା ଅଛି ।

ଯଦି ଆମେ କରୋନାକୁ ପରାସ୍ତ କରିପାରିଛେ, ତେବେ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ଅବିଶ୍ୱାସକୁ ପରାଜିତ କରିବାକୁ ମଧ୍ୟ ଆମେ ସକ୍ଷମ ହୋଇ ପାରିବା ।

ଜି -୨୦ ଅଧ୍ୟକ୍ଷ ଭାବରେ ଭାରତ ପରସ୍ପର ଉପରେ ବିଶ୍ୱାସର ଅଭାବକୁ ବିଶ୍ୱାସରେ ପରିଣତ କରିବାକୁ ସମଗ୍ର ବିଶ୍ୱକୁ ନିବେଦନ କରୁଛି।

ଦୁନିଆର ଉନ୍ନତି ପାଇଁ ଆମକୁ ଏକାଠି ହେବାର ସମୟ ଆସିଛି। ଆଫ୍ରିକୀୟ ୟୁନିଅନ (ଏୟୁ) କୁ ସ୍ଥାୟୀ ଜି-୨୦ ସଦସ୍ୟ କରିବାକୁ ଭାରତ ପ୍ରସ୍ତାବ ଦେଇଛି। ମୁଁ ନିଶ୍ଚିତ ଯେ ସମସ୍ତ ସଦସ୍ୟ ଏହି ପ୍ରସ୍ତାବରେ ରାଜି ହେବେ।
ଶିଖର ସମ୍ମିଳନୀରେ ବିଶ୍ୱ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଆପଣମାନଙ୍କର ସମସ୍ତଙ୍କ ସହଯୋଗରେ ମୁଁ ଆଫ୍ରିକୀୟ ସଂଘକୁ ଜି-୨୦ ରେ ଯୋଗଦେବାକୁ ଆମନ୍ତ୍ରଣ କରୁଛି ବୋଲି ମୋଦି କହିଛନ୍ତି।

 

Share