Categories: ଜାତୀୟ

କୃଷକଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିପାରିବୁ ନାହିଁ

ନୂଆଦିଲ୍ଲୀ,୧୩ା୧(ଆଇଏଏନ୍‌ଏସ୍‌): କୃଷକମାନଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜଣେ ଆଇନଜୀବୀଙ୍କ ଯୁକ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ କୃଷି ଆଇନ ସମ୍ପର୍କରେ ଆଲୋଚନା ପାଇଁ ଆନ୍ଦୋଳନରତ କୃଷକମାନଙ୍କ ପାଖକୁ ଯାଇନାହାନ୍ତି ବୋଲି ଓକିଲ ଏମ୍‌.ଏଲ୍‌. ଶର୍ମା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ସେ କହିଥିଲେ, କୃଷକମାନେ ତାଙ୍କୁ ମଙ୍ଗଳବାର ସକାଳେ ଜଣାଇଛନ୍ତି ଯେ, କୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ନିକଟରେ ସେମାନେ ଉକ୍ତ ଆଇନ ବିରୋଧରେ ଅଭିଯୋଗ କରିବା ପାଇଁ ହାଜର ହେବେ ନାହିଁ।

ଏହି ଆଇନକୁ ପ୍ରତ୍ୟାହାର କରାଯାଉ ବୋଲି ସେମାନେ ଚାହାନ୍ତି। କାରଣ ଅନେକ ବ୍ୟକ୍ତି ଆଲୋଚନା ପାଇଁ ଆସିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ଆସିନାହାନ୍ତି। ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଥିଲେ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କୁ ଭେଟିସାରିଛନ୍ତି। ଏହାର ଜବାବରେ ଶର୍ମା କହିଥିଲେ, କୃଷିମନ୍ତ୍ରୀଙ୍କ ନିଷ୍ପତ୍ତି ନେବା କ୍ଷମତା ନାହିଁ। ପ୍ରଧାନମନ୍ତ୍ରୀ ହିଁ ସବୁ ନିଷ୍ପତ୍ତି ନେଇଥାନ୍ତି। ଶର୍ମାଙ୍କ ଏପରି ଯୁକ୍ତିକୁ ନେଇ ପ୍ରଧାନ ବିଚାରପତି ଏସ୍‌. ଏ. ବୋବ୍‌ଡେ କହିଥିଲେ, କୃଷକମାନେ ଚାହିଁଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିକ୍ଷୋଭ କରିପାରନ୍ତି। ତେବେ କୃଷକମାନଙ୍କୁ ଭେଟିବାକୁ ଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମେ ନିର୍ଦ୍ଦେଶ ଦେଇପାରିବୁ ନାହିଁ।

୫୦ ଚାଷୀଙ୍କ ଜୀବନ ଗଲାଣି
କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ଟିକ୍ରି ସୀମାଠାରେ ଆନ୍ଦୋଳନରତ ଜଣେ ଚାଷୀଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ମୃତକ ମୁକ୍ତାସରର ଅବତାର ସିଂ ବୋଲି ଜଣାପଡିଛି। ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଗତ ରବିବାର ଆଉ ଜଣେ କୃଷକଙ୍କ ଲୁଧିଆନାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏବେ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀ ଚାଷୀଙ୍କ ମୃତ୍ୟୁ ଘଟିସାରିଲାଣି।

Share