Categories: ଜାତୀୟ

କରୋନା ସମୟରେ ଆମେ କରିନୁ ଖେଚୁଡି ଚୋରି: ଉଦ୍ଧବଙ୍କୁ ଶିନ୍ଦେଙ୍କ କଟାକ୍ଷ…

ମୁମ୍ବାଇ,୨୪।୧୦ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପୂର୍ବତନ ପ୍ରତିପକ୍ଷ ଉଦ୍ଧବ ଠାକରେଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଆମେ କରୋନା ମହାମାରୀ ସମୟରେ ଅନ୍ୟ କାହା ଭଳି ଖେଚୁଡି ଚୋରି କରି ନାହୁଁ। ଉଦ୍ଧବ ୩୦୦ ଗ୍ରାମ ଖେଚୁଡି ବଦଳରେ ୧୦୦ ଗ୍ରାମ ଖେଚୁଡି କରିବାକୁ ନିର୍ଦ୍ଦେଶ ଦେଇ ଘୋର ପାପ କରିଛନ୍ତି। ରାଜ୍ୟର ଜନସାଧାରଣଙ୍କ ପ୍ରତି ଏଭଳି କାର୍ଯ୍ୟ କରିଥିବା ଲୋକଙ୍କର କୌଣସି ପ୍ରସଙ୍ଗରେ କହିବାର କିଛି ଅଧିକାର ନାହିଁ। ଉଦ୍ଧବ କହିଥିଲେ ବିରିୟାନୀ ଲୋଭ ଦେଖାଇ ଶିନ୍ଦେ ନିଜ ସଭାରେ ଲୋକଙ୍କୁ ଜମା କରୁଛନ୍ତି। ତାଙ୍କ ସଭାରେ ଯୋଗଦେବାକୁ କାହାର ଆଗ୍ରହ ନାହିଁ।

ଉଦ୍ଧବଙ୍କ ଅଭିଯୋଗର ଉତ୍ତରରେ ଶିନ୍ଦେ କହିଛନ୍ତି, ଶ୍ରମିକ ଏବଂ ସାଧାରଣ ନାଗରିକଙ୍କୁ ବିରିୟାନି ଖାଇବାକୁ ଦେବାର ଆମର ଅଧିକାର ନାହିଁ କି? ଆମେ ବାଲାସାହେବ ଠାକରେଙ୍କ ପ୍ରକୃତ ଶିବ ସୈନିକ। ଆମେ ସବୁବେଳେ ସାଧାରଣ ଲୋକଙ୍କୁ ଖାଇବାକୁ ଦେବାକୁ ଶିଖିଛୁ। ଯେତେବେଳେ ଲୋକମାନେ ଦୂର ସ୍ଥାନରୁ ଆସନ୍ତି, ସେମାନଙ୍କୁ ଖାଇବାକୁ ଦେବା ଆମର କର୍ତ୍ତବ୍ୟ। ସୂଚନାଯୋଗ୍ୟ, ପ୍ରତିବର୍ଷ ବିଜୟାଦଶମୀ ଅବସରରେ ଶିବସେନା ମହାରାଷ୍ଟ୍ରରେ ଏକ ସାଧାରଣ ସଭାର ଆୟୋଜନ କରିଥାଏ।

ଏକନାଥ ଶିନ୍ଦେଙ୍କ ବିଦ୍ରୋହ ପରେ ଶିବସେନା ଦୁଇ ଭାଗରେ ବିଭକ୍ତ ହୋଇଛି। ତେଣୁ ବର୍ତ୍ତମାନ ଶିବସେନାର ଉଭୟ ଦଳ ଦଶହରା ପାଇଁ ପୃଥକ ସାଧାରଣ ସଭା ଆୟୋଜନ କରୁଛନ୍ତି। ଏହି ବର୍ଷ ମଧ୍ୟ ସମାନ ଢଙ୍ଗରେ ଦୁଇଟି ପୃଥକ ସାଧାରଣ ସଭାର ଆୟୋଜନ କରାଯାଉଛି। ଏକନାଥ ଶିନ୍ଦେ ମୁମ୍ବାଇର ଆଜାଦ ମଇଦାନରେ ସାଧାରଣ ସଭାକୁ ସମ୍ବୋଧିତ କରୁଥିବାବେଳେ। ଉଦ୍ଧବ ଠାକରେ ଛତ୍ରପତି ଶିବାଜୀ ପାର୍କରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ।

Share