ନୂଆଦିଲ୍ଲୀ,୩୧।୩: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟ ପଦ ରଦ୍ଦକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏହି ଘଟଣାରେ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଟୁଇଟ୍କୁ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଦିଗ୍ବିଜୟ ସିଂ ରିଟୁଇଟ କରି ଜର୍ମାନୀକୁ ଧନ୍ୟବାଦ ଜଣାଇଛନ୍ତି। ଏହାକୁ ନେଇ କଂଗ୍ରେସର ଏମ୍ପି କପିଲ ସିବଲ ଦିଗବିଜୟଙ୍କୁ ଟାର୍ଗେଟ କରିଛନ୍ତି। କପିଲ କହିଛନ୍ତି, ଆମକୁ ବିଦେଶ ସମର୍ଥନ ଦରକାର ନାହିଁ। ଏହି ଲଢେଇ ଆମ ନିଜର। ତେଣୁ ଏହାକୁ ଆମେ ନିଜେ ଲଢିବୁ।
ସୂଚନାଯୋଗ୍ୟ, ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଭାରତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ନିଷ୍ପତ୍ତି ଏବଂ ତାଙ୍କ ସଂସଦୀୟ ସଦସ୍ୟତା ସ୍ଥଗିତ ରଖାଯାଇଛି। ରାହୁଲ ଗାନ୍ଧୀ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ। ରାହୁଲଙ୍କ ବିରୋଧରେ ଚାଲିଥିବା ପ୍ରକ୍ରିୟାରେ ନ୍ୟାୟିକ ସ୍ବାଧୀନତା ଏବଂ ମ ମୌଳିକ ଗଣତାନ୍ତ୍ରିକ ନୀତି ମଧ୍ୟ ସମାନ ଭାବରେ ପ୍ରୟୋଗ ହେବ ବୋଲି ଜର୍ମାନୀ ଆଶା କରୁଛି।