ଆମ ପାଖରେ ଆଉ କୌଣସି ବାଟ ନ ଥିଲା; ସଫେଇ ଦେଲା ଇରାନ

ତେହରାନ,୧୫।୪: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡକାଯାଇଥିଲା। ଏହି ବୈଠକରେ ଇରାନର କୂଟନୀତିଜ୍ଞମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ଇରାନର କୂଟନୀତିଜ୍ଞ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ସଠିକ୍‌ ବୋଲି କହିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ ଏବଂ ସେମାନଙ୍କୁ ଆକ୍ରମଣ କରିବାକୁ ପଡିବ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଇରାନର ରାଷ୍ଟ୍ରଦୂତ ଆମୀର ସୟଦ ଏରଓ୍ବାନି କହିଛନ୍ତି, ଇରାନର ଇସଲାମିକ ରିପବ୍ଲିକ ଆତ୍ମରକ୍ଷା ଅଧିକାର ଅଧୀନରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଜାତିସଂଘ ସୁରକ୍ଷା ପରିଷଦ ଇରାନର ଦୂତାବାସ ଉପରେ ଆକ୍ରମଣ କରିବା ପରେ ଏହାର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିଲା। ଏଭଳି ପରିସ୍ଥିତିରେ ତେହେରାନକୁ କୌଣସି ବିକଳ୍ପ ନ ଥିଲା ଏବଂ ଏହାର ଜବାବ ଦେବାକୁ ପଡିଲା। ଇରାନର କୂଟନୀତିଜ୍ଞ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଦେଶ ବିବାଦ ବଢିବାକୁ ଚାହୁଁ ନାହିଁ, କିନ୍ତୁ ଯଦି କୌଣସି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଏହା ଏହାର ଜବାବ ଦେବ।
ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଇସ୍ରାଏଲର ରାଷ୍ଟ୍ରଦୂତ ଇରାନ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଏବଂ ଏହି ଅସ୍ଥିରତା ପାଇଁ ଇରାନକୁ ଦାୟୀ କରିଥିଲେ। ଇସ୍ରାଏଲର ରାଷ୍ଟ୍ରଦୂତ କହିଛନ୍ତି, ଇରାନର ଅସଲ ମୁଖା ଖୋଲିଯାଇଛି। ଏହା ସମଗ୍ର ବିଶ୍ୱରେ ଆତଙ୍କବାଦକୁ ପୋଷଣ କରିଥାଏ ଏବଂ ଏହି ଅଞ୍ଚଳରେ ଅଶାନ୍ତି ପାଇଁ ଇରାନ ମଧ୍ୟ ଦାୟୀ।
ଇରାନ ସିଧାସଳଖ ୩୦୦ରୁ ଅଧିକ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସହିତ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରେ ଇସ୍ରାଏଲର ଅଧିକ କ୍ଷତି ହୋଇ ନାହିଁ ଏବଂ ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପ୍ରାୟ ସମସ୍ତ କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ଅଟକାଇ ଆକାଶରେ ନଷ୍ଟ କରିଦେଇଛି।

Share