ଆମ ହାତରେ ବମ୍‌

ରିତେଶ କୁମାର ଶିଶୁ

ବିଜ୍ଞାନର ଉନ୍ନତି ସହ ଆମର ଯୋଗାଯୋଗ ଉପକରଣ ସବୁ ଅତ୍ୟାଧୁନିକ ହୋଇଯାଇଛି। ମୋବାଇଲ ଫୋନ୍‌, ଲାପ୍‌ଟପ୍‌, ୱାକିଟକି, ପେଜର, ସ୍ମାର୍ଟ ଟିଭି, ଫ୍ରିଜ୍‌, ଇଲେକ୍ଟ୍ରୋନିକ ଗାଡ଼ି ସବୁ ଆମେ ବ୍ୟବହାର କରୁଛେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଗୁଡ଼ିକ ଅଧିକାଂଶ ବିଦେଶ ତିଆରି, କାରଣ ଆମ ଘରୋଇ କ୍ଷେତ୍ରରେ ସେହି ଉନ୍ନତ ଅତ୍ୟାଧୁନିକ ବୈଷୟିକ କୌଶଳ ଆଜି ପର୍ଯ୍ୟନ୍ତ ଅପହଞ୍ଚ। ଲିବ୍ୟାରେ ପ୍ରଥମ ପର୍ଯ୍ୟାୟରେ ବ୍ୟାପକ ପେଜର ବିସ୍ଫୋରଣ ପରେ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ଉପକରଣ ଯଥା ୱାକିଟକି, ରେଡିଓ, ଗାଡ଼ି ବ୍ୟାଟେରି, ସୌର ପ୍ୟାନେଲ, ସ୍ମାର୍ଟ ଫୋନ୍‌, ଇଣ୍ଟରକମ୍‌ ଆଦି ଇଲେକ୍ଟ୍ରୋନିକ ଉପକରଣରେ ଏକା ବେଳକେ ବିସ୍ଫୋରଣ ଘଟଣା ଶୁଣିଲା ପରେ ଏହି ବିଦେଶୀ ଉପକରଣଗୁଡ଼ିକ ଉପରେ ସନ୍ଦେହ ବଢ଼ିବା ସ୍ବାଭାବିକ। ଏଥିରେ ଅନେକ ସାଧାରଣ ଲୋକ ଏପରିକି ଛୋଟ ପିଲା ମଧ୍ୟ ମୃତାହତ ହୋଇଛନ୍ତି। ତେବେ ଲିବ୍ୟାର ଯୋଗାଯୋଗ ଉପକରଣଗୁଡ଼ିକ ବିସ୍ଫୋରଣ ହେବାର ଅନେକ କାରଣ ଉପସ୍ଥାପନ କରାଯାଉଛି। କିଏ କହୁଛି ସେଗୁଡ଼ିକରେ ପୂର୍ବରୁ ଅଳ୍ପ ପରିମାଣର ବିସ୍ଫୋରକ ଲଗାଯାଇଥିଲା ଓ ଏକ କୋଡ୍‌ ମାଧ୍ୟମରେ ତାହାକୁ ବିସ୍ଫୋରିତ କରାଯାଇଛି ତ କିଏ କହୁଛି ଡ୍ରୋନ୍‌ ମାଧ୍ୟମରେ ଏକ ଶକ୍ତିଶାଳୀ ଇଲେକ୍ଟ୍ରୋମାଗ୍‌ନେଟିକ୍‌ ତରଙ୍ଗ ଛଡ଼ାଯାଇଛି। ରୋଚକ କଥା ହେଉଛି ପେଜରଗୁଡିକ ତାଇୱାନ୍‌ର ଗୋଲ୍ଡ ଆପଲ କମ୍ପାନୀ ତିଆରି କରିଛି।
ଅଭିଯୋଗ ହେଲା ବେଳେ ତାଇୱାନ୍‌ କହିଛି, ତାହାର ଯନ୍ତ୍ରାଂଶ ହଙ୍ଗେରୀର ବିଏସି କନ୍‌ସଲ୍ଟିଂ କମ୍ପାନୀ ଏକାଠିକରି ତିଆରିକରି ବିକ୍ରି କରିଛି। ସେପଟେ ବିଏସି କନ୍‌ସଲ୍ଟିଂ କହୁଛି ଆମେ ପେଜର ତିଆରି କରୁନା, କେବଳ କିଣା ବିକାରେ ମଧ୍ୟସ୍ଥତା କରୁ। ଏପରି ଟଣାଓଟରା ଭିତରେ ନ୍ୟୁୟର୍କ ଟାଇମ୍ସ କହିଛି ବିଏସି କନ୍‌ସଲ୍ଟିଂ ଇସ୍ରାଏଲର ଏକ ଗୋଇନ୍ଦା ସହଭାଗୀ। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କର ଲେବାନନ୍‌ରେ ଏହି ବିସ୍ଫୋରଣକୁ ନେଇ ଏକ ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱ ବହନକରେ ଯେ ସାଧାରଣ ଲୋକଙ୍କ ଦ୍ୱାରା ବ୍ୟବହୃତ ଯୋଗାଯୋଗ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣଗୁଡ଼ିକୁ ଅସ୍ତ୍ର ଭାବରେ ବ୍ୟବହାର କରିବା ଆଦୌ ସମୀଚୀନ ନୁହେଁ। ଜାତିସଂଘର ମାନବ ଅଧିକାର ବିଭାଗର ମନ୍ତବ୍ୟ ଏହା ଯେ ଏପରି ଆକ୍ରମଣ ସମୟରେ ଏହି ଉପକରଣଗୁଡିକ କାହା ହାତରେ ଅଛି, କେଉଁ ସ୍ଥିତିରେ ଅଛି ଓ କିଭଳି ପରିବେଶରେ ଅଛି ନ ଜାଣି ବହୁ ହଜାର ଲୋକଙ୍କୁ ଏକା ବେଳକେ ଆକ୍ରମଣ କରିବା ମାନବ ଅଧିକାରର କ୍ଷୁଣ୍ଣଜନିତ ଏକ ଗୁରୁତର ଅପରାଧ।
ସେ ଯାହା ବି ହେଉ ଲିଥିଅମ ଆୟନ ବ୍ୟାଟେରି ଥିବା ଉପକରଣଗୁଡ଼ିକରେ ଯଦି ଆଗରୁ କିଛି କୋଡ୍‌ ଦିଆଯାଇଥିବ ସେଥିରେ ସେହି କୋଡ୍‌ଟିକୁ ରେଡିଓ ତରଙ୍ଗ କିମ୍ବା ବୈଦ୍ୟୁତିକ ତରଙ୍ଗ ମାଧ୍ୟମରେ ଆକ୍ଟିଭେଟକରି ବ୍ୟାଟେରିକୁ ବିସ୍ଫୋରଣ କରାଇବା ଅସମ୍ଭବ ନୁହେଁ। ଏହାବାଦ୍‌ ଇଣ୍ଟରନେଟ୍‌ ବ୍ୟବହାର ହେଉଥିବା ଉପକରଣରେ କିଛି ଭାଇରସ୍‌ ଛାଡ଼ି ସେଥିରେ ଥିବା ବ୍ୟାଟେରିକୁ ବିସ୍ଫୋରଣ କରାଇବା ମଧ୍ୟ ଅସମ୍ଭବ ନୁହେଁ। ଯଦି ସେମିତି ହୁଏ ତେବେ ପ୍ରାୟତଃ ଆମେ ସମସ୍ତେ ପାଖରେ ଗୋଟେ ଦୁଇଟା ବମ୍‌ ଧରି ସର୍ବଦା ବୁଲୁଛେ। ଏମିତି ନ ହେଉ ବିଦେଶରୁ କିଣା ଯାଇଥିବା ପ୍ରତିରକ୍ଷା ଉପକରଣଗୁଡ଼ିକରେ ସେମାନେ ଏମିତି କିଛି ଭିତିରି ଉପକରଣ ଲଗାଇଥିବେ, ଯାହାକୁ କ୍ରିୟାଶୀଳ କରିଦେଲେ ବାସ୍ତବ ଯୁଦ୍ଧକୁ ଗଲା ବେଳକୁ ଆମ ପ୍ରତିରକ୍ଷା ଉପକରଣଗୁଡିକ ଆଉ କାମ କରୁ ନ ଥିବ। ଏପରି ଭାବନା ନକାରାମତ୍କ ଲାଗୁଥାଇପାରେ କିନ୍ତୁ ଅସମ୍ଭବ ନୁହେଁ। ଯୁଦ୍ଧ ସମୟରେ ସମସ୍ତ ନୀତିନୈତିକତା ଲୋପ ପାଇଯାଏ ଓ ସାଧାରଣ ନାଗରିକ ଏଥିରୁ ନିସ୍ତାର ପାଆନ୍ତି ନାହିଁ। ଏପରି ସ୍ଥଳରେ ଆମେ ବ୍ୟବହାର କରୁଥିବା ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଏପରି ଉପକରଣ ଚାଇନା, ତାଇୱାନ୍‌, ଦକ୍ଷିଣ କୋରିଆ, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରରୁ ଆମଦାନି ହେଉଛି। ଯେପରି କି ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌, କମ୍ପ୍ୟୁଟର, ପେଜର, ଇଅର ଫୋନ୍‌, ଇଲେକ୍ଟ୍ରୋନିକ୍‌ ଗାଡ଼ି ବ୍ୟାଟେରି ଇତ୍ୟାଦି। ଏବେ ସମୟ ଆସିଛି, ଏହି ସବୁ ଉପକରଣ ଆମଦାନି କରିବା ପୂର୍ବରୁ ସେଗୁଡ଼ିକର ନିରାପତ୍ତା ଓ ଗୁଣବତ୍ତାର ଠିକ୍‌ ଆକଳନ କରାଯାଉ ଓ ଏହା ସହ ସ୍ବଦେଶରେ ଏହି ବୈଷୟିକ ଜ୍ଞାନକୁ ଅଧିକ ଶାଣିତକରି ନିଜ ଦେଶରେ ଏପରି ଉପକରଣଗୁଡ଼ିକର ନିର୍ମାଣକୁ ଗୁରୁତ୍ୱ ଦିଆଯାଉ। ଆମ ଦେଶର ନାଗରିକମାନେ ବି ଏଥି ପ୍ରତି ସଚେତନହେବା ସହ ସ୍ବଦେଶୀ ଉପତ୍ାଦକୁ ଅଗ୍ରାଧିକାର ଭିତ୍ତିରେ ଆପଣେଇବା ଶ୍ରେୟସ୍କର ହେବ।
ସାଇଲୋ ବଡ଼ବିଲ, କଟକ
ମୋ: ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri