ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦେଇଛୁ: ବିଜେଡି

ଭୁବନେଶ୍ୱର,୧୯ା୩(ଅନିଲଦାସ):ଆଦିବାସୀ ସମ୍ପ୍ରଦାୟ ଓଡ଼ିଶା ରାଜ୍ୟ ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେମାନେ ଅନନ୍ୟ ସଂସ୍କୃତି, ଜୀବନଶୈଳୀର ପ୍ରତିନିଧିତ୍ୱ କରନ୍ତି। ଉଦ୍ଭିଦର ଔଷଧୀୟ ଦିଗ ସମେତ ଜଙ୍ଗଲ ଏବଂ ବନଜାତ ଦ୍ରବ୍ୟ ବିଷୟରେ ଅନେକ ପ୍ରକାରର ଅନନ୍ୟ ଜ୍ଞାନର ଭଣ୍ଡାର ଅଟନ୍ତି ବୋଲି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡ. ସଂତୃପ୍ତ ମିଶ୍ର ଏବଂ ମୁଖପାତ୍ର ଡ. ପ୍ରିୟବ୍ରତ ମାଝି କହିଛନ୍ତି।
ଶଙ୍ଖଭବନଠାରେ ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି, ଓଡ଼ିଶାରେ ୬୪ ସମ୍ପ୍ରଦାୟର ଆଦିବାସୀ ଅଛନ୍ତି। ଓଡ଼ିଶାର ସ୍ବୀକୃତିପ୍ରାପ୍ତ ୬୪ଟି ଭାଷା ଓ ୭୪ଟି ଉପଭାଷା କୁହାଯାଏ। ଅନନ୍ୟ ବିବିଧତା ସତ୍ତ୍ୱେ ଆସିବାସୀ ସମ୍ପ୍ରଦାୟକୁ ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ସଶକ୍ତ କରିବାର ଅନେକ ଆବଶ୍ୟକତା ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଭବ କରିଥିଲେ। ସେ ଆଦିବାସୀମାନଙ୍କର ବିକାଶକୁ ତ୍ୱରାନ୍ବିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଶିକ୍ଷା, ବାସସ୍ଥଳୀ, ସଂସ୍କୃତି, ଭାଷା ସଂରକ୍ଷଣ ଆଦି ସେମାନଙ୍କର ମୁଖ୍ୟ ଆବଶ୍ୟକତା ଥିଲା। ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା, ସେମାନଙ୍କ ସ୍ବାଭାବିକ ପ୍ରତିଭାକୁ ଆଗକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ସ୍ଥିର କରିଥିଲେ। ଶିକ୍ଷାକୁ ଆଗକୁ ବଢ଼ାଇବା ପାଇଁ ୩ ଜଣ ବିଶିଷ୍ଟ ଆଦିବାସୀ ନେତାଙ୍କ ନାମରେ ତିନୋଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ସେହିଭଳି ଆଦିବାସୀ ଅଞ୍ଚଳର ୨୫୦୦ ବିଦ୍ୟାଳୟକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଇଛି। ୨୦୨୪ ଶେଷ ସୁଦ୍ଧା ଆଉ ୩୩୦୦ ବିଦ୍ୟାଳୟକୁ ରୂପାନ୍ତରିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏସ୍‌ସିଏସ୍‌ଟି ବିଭାଗ ଅଧୀନରେ ଥିବା ୧୭୩୪ ବିଦ୍ୟାଳୟରେ ୪.୬ ଲକ୍ଷ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୬୫୦୦ ଛାତ୍ରାବାସରେ ୫.୭ ଲକ୍ଷ ଛାତ୍ରୀଛାତ୍ର ରହୁଛନ୍ତି। ପ୍ରି-ମାଟ୍ରିକ ସ୍ତରରେ ୧୫ ଲକ୍ଷ ଏସ୍‌ସିଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ଦିଆଯାଉଛି। ଏ ବାବଦରେ ବାଳିକାଙ୍କୁ ବାର୍ଷିକ ୮୦୦୦ ଟଙ୍କା ଓ ବାଳକଙ୍କୁ ୭୫୦୦ ଟଙ୍କା ପ୍ରଦାନ କରାଯାଇଛି। ସମସ୍ତ ଉଚ୍ଚଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୪ ଲକ୍ଷ ଛାତ୍ରୀଛାତ୍ରଙ୍କୁ ମାଟ୍ରିକ ପରବର୍ତ୍ତୀ ବୃତ୍ତି ମିଳୁଛି। ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପାଇଁ ପ୍ରୋତ୍ସାହିତ କରିବାକୁ ଟପ୍‌ ଅପ୍‌ ସ୍କଲାରଶିପ୍‌ ପ୍ରଦାନ କରାଯାଇଛି। ଏହି ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଜନଜାତି ଛାତ୍ରୀଛାତ୍ରଙ୍କ ପାଇଁ ସହରାଞ୍ଚଳରେ ଘରୋଇ, କେନ୍ଦ୍ରୀୟ ଓ ଅନ୍ୟାନ୍ୟ ଅନୁଦାନପ୍ରାପ୍ତ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦିଆଯାଉଛି। ମିଶନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀମାନେ ମୁଖ୍ୟତଃ ମହିଳା ହୋଇଥିବାରୁ ଏହା ପ୍ରାୟ ୯୯ ଲକ୍ଷ ଆଦିବାସୀଙ୍କୁ ସାହାଯ୍ୟ କରିଛି। ଏହା ଦ୍ୱାରା ଶୋଷଣ ଓ ଅଭାବୀ ବିକ୍ରି ବନ୍ଦ ହୋଇଯାଇଛି। ଯୁବ ସଶକ୍ତୀକରଣ ପାଇଁ ଭଗବାନ ବିର୍ସା ମୁଣ୍ଡା ଷ୍ଟାଡିୟମ ନାମରେ ରାଉରକେଲାର ସର୍ବବୃହତ୍‌ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ହୋଇଛି। ସୁନ୍ଦରଗଡ଼ର ପ୍ରତି ବ୍ଲକରେ ୧୭ଟି ଆଷ୍ଟ୍ରୋଟର୍ଫ ପ୍ରତିଷ୍ଠା ହୋଇଛି। ବିିଭିନ୍ନ ଉନ୍ନୟନ ଯୋଜନାରେ ଆଦିବାସୀଙ୍କୁ ସାମିଲ କରିବା ସହିତ ବିକାଶ ତ୍ୱରାନ୍ବିତ ହୋଇଛି ବୋଲି ମୁଖପାତ୍ର ଦ୍ୱୟ କହିଛନ୍ତି।