ଜମ୍ମୁ-କଶ୍ମୀର ମୁସଲମାନଙ୍କ ପାଇଁ ଆମର ଲଢିବାର ହକ୍‌ ଅଛି: ତାଲିବାନ ନେତା

କାବୁଲ,୩।୯: ଗୋଟିଏ ପଟେ ତାଲିବାନ ଦୋହାରେ ଭାରତ ସହ କଥାବାର୍ତ୍ତା କରୁଛି ଏବଂ ଅନ୍ୟ ପଟେ ଏହାର ମୁଖପାତ୍ର କଶ୍ମୀର ପ୍ରସଙ୍ଗରେ ବିବୃତ୍ତି ଦେବା ଆରମ୍ଭ କରିଛନ୍ତି। ଚାଇନାର ଉଇଗୁରୁ ମୁସଲମାନଙ୍କ ଦମନ ଉପରେ ନୀରବ ରହିଥିବା ତାଲିବାନ କହିଛି ଯେ, ଜମ୍ମୁ କଶ୍ମୀର ସମେତ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କ ପାଇଁ ସ୍ବର ଉତ୍ତୋଳନ କରିବାର ଅଧିକାର ରହିଛି। ତାଲିବାନ ମୁଖପାତ୍ର ସୁହେଲ ଶାହିନ ଏହି ସୂଚନା ଦେଇଛନ୍ତି। ତାଲିବାନ ଏପରି ଏକ ସମୟରେ କହିଛି ଯେତେବେଳେ ଦିନକ ପୂର୍ବରୁ ଅଲ କାଏଦା କଶ୍ମୀରରେ ଏହାର ସାହାଯ୍ୟ ଲୋଡିଥିଲା। ତେବେ ଏହାପୂର୍ବରୁ ତାଲିବାନ ନେତୃତ୍ୱ କହିଛନ୍ତି ଯେ, ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ପ୍ରସଙ୍ଗରେ ଜଡିତ ହେବ ନାହିଁ ଏବଂ ଏହାର ଜମିକୁ କୌଣସି ଦେଶ ବିରୋଧରେ ବ୍ୟବହାର କରିବାକୁ ଦେବ ନାହିଁ।
ଏକ ସାକ୍ଷାତକାରରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଯେ, ଜମ୍ମୁ କଶ୍ମୀରର ମୁସଲମାନମାନଙ୍କ ପାଇଁ ସ୍ବର ଉତ୍ତୋଳନ କରିବାର ତାଙ୍କ ସଂଗଠନର ଅଧିକାର ରହିଛି। ଏଥି ସହିତ ସୁହେଲ ଆମେରିକା ସହ ଦୋହା ଚୁକ୍ତି ସମ୍ପର୍କରେ କହିଛନ୍ତି ଯେ, ଆମେ କୌଣସି ଦେଶ ବିରୋଧରେ ସଶସ୍ତ୍ର ଅପରେସନ କରିବୁ ନାହିଁ। ଜଣେ ମୁସଲମାନ ଭାବରେ ଭାରତର କଶ୍ମୀର କିମ୍ବା ଅନ୍ୟ କୌଣସି ଦେଶରେ ମୁସଲମାନମାନଙ୍କ ପାଇଁ ସ୍ବର ଉତ୍ତୋଳନ କରିବାର ଅଧିକାର ଆମର ଅଛି। ମୁସଲମାନମାନଙ୍କ ସହ ସମାନତା ପାଇଁ ଆମେ ସମସ୍ତ ଦେଶକୁ ନିବେଦନ କରିବୁ।
ଅଗଷ୍ଟ ୩୧ରେ ଭାରତ ପ୍ରଥମ ଥର ପାଇଁ ତାଲିବାନ ସହିତ ସରକାରୀ ଆଲୋଚନା କରିଥିଲା। ଏହି ସମୟ ମଧ୍ୟରେ ତାଲିବାନ ନେତା ଶେର ମହମ୍ମଦ ଅବ୍ବାସ ସିକଜାଇଙ୍କ ସହ ଭାରତ ନିଜର ଚିନ୍ତାଧାରା ବାଣ୍ଟିଥିଲା। ଏହି ବୈଠକରେ ଭାରତ କହିଛି ଯେ, ଆଫଗାନିସ୍ତାନର ଜମି ଭାରତ ବିରୋଧୀ କାର୍ଯ୍ୟକଳାପ କିମ୍ବା ଆତଙ୍କବାଦ ପାଇଁ କୌଣସି ପ୍ରକାରେ ବ୍ୟବହାର କରାଯିବା ଉଚିତ ନୁହେଁ। ଭାରତୀୟ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କ ହତ୍ୟା ସହ ଜଡିତ ପ୍ରଶ୍ନ ଉପରେ ଶାହିନ କହିଛନ୍ତି ଯେ କେଉଁ ପରିସ୍ଥିତିରେ ଏହା ଘଟିଛି ସେ ଜାଣି ନାହାଁନ୍ତି।

Share