Categories: ଜାତୀୟ

‘ପାକ୍‌ ସହ ପ୍ରତ୍ୟକ୍ଷ ଯୁଦ୍ଧ ଜିତିଛୁ, ପରୋକ୍ଷ ବି ଜିତିବୁ’

ନୂଆଦିଲ୍ଲୀ, ୧୩।୧୨: ଭାରତ ୧୯୭୧ରେ ପାକିସ୍ତାନ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧ ଜିତିଥିଲା। ଏବେ ପାକିସ୍ତାନ ପ୍ରେରିତ ଆତଙ୍କବାଦ ବିରୋଧରେ ପରୋକ୍ଷ ଯୁଦ୍ଧରେ ମଧ୍ୟ ଆମେ ଜିତିବୁ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର କହିଛନ୍ତି। ସ୍ବାଧୀନତା ସମୟରେ ଧର୍ମ ନାମରେ ଦେଶ ବିଭାଜନ ଐତିହାସିକ ଭୁଲ୍‌। ୧୯୭୧ ଯୁଦ୍ଧରୁ ଏହା ସ୍ପଷ୍ଟ ହୋଇଥିଲା। ଆତଙ୍କବାଦ ଏବଂ ଅନ୍ୟ ଭାରତ ବିରୋଧୀ କାର୍ଯ୍ୟ ମାଧ୍ୟମରେ ପାକିସ୍ତାନ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିବା ରାଜନାଥ ୧୯୭୧ ଯୁଦ୍ଧ ବିଜୟର ସ୍ବର୍ଣ୍ଣିମ ବିଜୟ ପର୍ବ ଅବସରରେ ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ କହିଛନ୍ତି।
ସ୍ବର୍ଣ୍ଣିମ ବିଜୟ ପର୍ବକୁ ଆହୁରି ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରିବା ଲାଗି ଭାରତ ସରକାର ଯୋଜନା କରିଥିଲେ। ତେବେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ୍‌, ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ୧୧ ଜଣ ଯବାନଙ୍କ ଅକାଳ ବିୟୋଗ ପରେ ଉକ୍ତ ପର୍ବକୁ ନିରାଡ଼ମ୍ବର ଭାବେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ରାଜନାଥ କହିଛନ୍ତି। ଜେନେରାଲ ରାଓ୍ବତ୍‌ଙ୍କ ପରଲୋକରେ ଦେଶ ଜଣେ ପରାକ୍ରମୀ ଯୋଦ୍ଧା, ଦକ୍ଷ ଉପଦେଷ୍ଟାଙ୍କୁ ହରାଇଲା। ସ୍ବର୍ଣ୍ଣିମ ବିଜୟ ପର୍ବ ପାଳନ ଲାଗି ସେ ଅତ୍ୟନ୍ତ ଉତ୍‌ଫୁଲ୍ଲିତ ଥିଲେ। ଆଜିର ଉତ୍ସବରେ ତାଙ୍କ ଅନୁପସ୍ଥିତି ଅନୁଭବ କରୁଥିବା ରାଜନାଥ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ‘ଓ୍ବାଲ୍‌ ଅଫ୍‌ ଫେମ୍‌-୧୯୭୧ ଭାରତ-ପାକ୍‌ ଯୁଦ୍ଧ’ର ଉଦ୍‌ଘାଟନ କରିଛନ୍ତି। ସେହି ସମୟରେ ଭାରତର ସଶସ୍ତ୍ର ବଳ ଦେଖାଇଥିବା ପରାକ୍ରମ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ହୋଇ ରହିଛି। ଏହି ଯୁଦ୍ଧ କେବଳ ପାକିସ୍ତାନୀ ସୈନ୍ୟବାହିନୀ ବିରୋଧରେ ନ ଥିଲା, ଏହା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼େଇ ଥିଲା। ଆମ ଗଣତାନ୍ତ୍ରିକ ପରମ୍ପରା, ଉପଯୁକ୍ତ ବ୍ୟବହାର ଓ ନୈତିକତାର ଏହା ଉତ୍କୃଷ୍ଟ ଦୃଷ୍ଟାନ୍ତ ଭାବେ ସାରା ବିଶ୍ୱ ଜାଣିଥିଲା। ଭାରତ କେବେ କୌଣସି ଦେଶ ଉପରେ ଆକ୍ରମଣ କରେନାହିଁ କିମ୍ବା କୌଣସି ଦେଶର ଇଞ୍ଚେ ବି ଜମି ଦଖଲ କରିନାହିଁ। ବାଂଲାଦେଶରେ ଗଣତାନ୍ତ୍ରିକ ପରମ୍ପରା ସ୍ଥାପନରେ ଏହା ସହାୟତା କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

Share