Categories: ଜାତୀୟ

‘ଆମେ ଭୁଲିବା ନାହିଁ ଲକ୍‌ଡାଉନ ଚାଲିଯାଇଛି, କିନ୍ତୁ ଭାଇରସ୍‌ ନୁହେଁ’

ନୂଆଦିଲ୍ଲୀ, ୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୁଣିଥରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦି କହିଥିଲେ, ପାର୍ବଣ ଋତୁରେ ଆମେ ଭୁଲିଯିବା ଉଚିତ୍‌ ନୁହେଁ ଯେ କରୋନାର ଅନ୍ତ ହୋଇନାହିଁ। ଭାରତରେ ଆରୋଗ୍ୟ ହାର ଭଲ ରହିଛି। ଆମେରିକା, ବ୍ରାଜିଲ ଓ ବ୍ରିଟେନ ଭଳି ଦେଶ ତୁଳନାରେ ଆମେ ଭଲ ସ୍ଥିତିରେ ଅଛୁ। ଆଜି ଆମ ଦେଶରେ କରୋନା ରୋଗୀଙ୍କ ଲାଗି ୯୦ ଲକ୍ଷରୁ ଊର୍ଦ୍ଧ୍ୱ ଶର୍ଯ୍ୟା ଉପଲବ୍ଧ ରହିଛି। ସେହିଭଳି ୧୨ ହଜାର କରୋନା ସେଣ୍ଟର ମଧ୍ୟ ଏଠାରେ ଅଛି। ଆର୍ଥିକ କାର୍ଯ୍ୟକଳାପ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।
ଆହୁରି ମଧ୍ୟ କହିଛନ୍ତି, ‘ଆମେ ଭୁଲିବା ଉଚିତ୍‌ ନୁହେଁ ଯେ ଲକ୍‌ଡାଉନ ଉଠିଯାଇ ଥାଇପାରେ କିନ୍ତୁ ଭାଇରସ୍‌ ଯାଇ ନାହିଁ। ଯେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଫଳତା ନ ମିଳିଛି ସେ ପର୍ଯ୍ୟନ୍ତ ଅବହେଳା କରିବା ଉଚିତ୍‌ ନୁହେଁ। ସେହିଭଳି ଏହି ମହାମାରୀର ଟୀକା ଆସିବା ପର୍ଯ୍ୟନ୍ତ ଆମେ କରୋନା ସହିତ ଆମର ଯୁଦ୍ଧକୁ ଦୁର୍ବଳ ହେବାକୁ ଦେବା ଉଚିତ୍‌ ନୁହେଁ।’ ଯେତେବେଳେ କରୋନା ଟୀକା ଆସିବ ଏହା କିପରି ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ସରକାର ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି ବୋଲି ମୋଦି ଏହି ଅବସରରେ ଦେଶକୁ ସମ୍ବୋଧନ କରି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ସମୟରେ ପୂର୍ବରୁ ମୋଦି ମୋଟ୍‌ ୬ଥର ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ୧୯ ମାର୍ଚ୍ଚରେ ପ୍ରଥମେ ଏବଂ ଏହାପରେ ପର୍ଯ୍ୟାୟକ୍ରମେ ୨୪ ମାର୍ଚ୍ଚ, ୩ ଏପ୍ରିଲ, ୧୪ ଏପ୍ରିଲ, ୧୨ ମେ ଓ ୩୦ ଜୁନ୍‌ରେ ସମ୍ବୋଧନ କରିଥିଲେ। ଏହା ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ୭ମ ସମ୍ବୋଧନା ଥିଲା।

Share