
ରାଇକିଆ,୧୪।୪,(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ କଳିଙ୍ଗ ମଡେଲ ରେଶିଡେନ୍ସିଆଲ ସ୍କୁଲରେ ବିଜ୍ଞାନ ଓ ଗବେଷଣାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ଓ ଏହାର ଗବେଷଣା ପ୍ରତି ବିଦ୍ୟାଳୟ ସ୍ତରରୁ କିପରି ଆଗ୍ରହ ବଢିବ ସେ ନେଇ ଭୁବନେଶ୍ବର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ତରଫରୁ ବୈଜ୍ଞାନିକ ମାନେ ଆସି ଗବେଷଣାର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ଏହାକୁ ନେଇ ଭବିଷ୍ୟତରେ କ୍ୟାରିୟର ଗଠନ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଛାତ୍ରୀଛାତ୍ରମାନେ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରି ବୁଝିବା ସହ ଏହାର ସମାଧାନ ଏବଂ ବୈଷୟିକ କୌଶଳ ନେଇ ଆଲୋଚନା କରିଥିଲେ। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ କରୁଣାକର ନନ୍ଦ, ବୈଜ୍ଞାନିକ ଡ଼. ସଚିନ୍ଦ୍ର ନାଥ ଷଡ଼ଙ୍ଗୀ, ଡ. କ୍ଷୀରୋଦ ଚନ୍ଦ୍ର ପାତ୍ର ଏହି କର୍ମଶାଳାରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରିନ୍ସିପଲ ଜଗଦୀଶ ମହାକୁଡ , ରାଇକିଆ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ଅମୀୟ ମହାପାତ୍ର, ପଦାର୍ଥ ବିଜ୍ଞାନ ବିଭାଗର ଶିକ୍ଷକ ସଚ୍ଚିଦାନନ୍ଦ ସ୍ବାଇଁ ଏବଂ ବିଦ୍ୟାଳୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।