ଆମେ ଜଳବାୟୁ ନ୍ୟାୟ ଚାହୁଁ

ବ୍ରସେଲ୍ସ, ୧୧।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଉତ୍ତପ୍ତ ହେବାରେ ଲାଗିଛି, ଯାହାର ପ୍ରଭାବରେ ଅତ୍ୟଧିକ ଗ୍ରୀଷ୍ମ, ପ୍ରବଳ ବର୍ଷା ଓ ବାରମ୍ବାର ବାତ୍ୟା ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ଅନୁଭୂତ ହେଉଛି। ସବୁଜ ଗୃହ ବାଷ୍ପ ବଢ଼ିବା ସହ ସ୍ଥଳଭାଗ ଓ ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଛି। ଅତ୍ୟଧିକ ପରିମାଣର ବରଫ ତରଳିବା ଯୋଗୁ ସମୁଦ୍ରର ଜଳପତ୍ତନ ବଢ଼ୁଛି। ଏହାର ପ୍ରଭାବ ସାମାଜିକ ଅର୍ଥନୈତକ ବିକାଶ, ସ୍ଥାନାନ୍ତରଣ, ଖାଦ୍ୟ ସୁରକ୍ଷା, ସ୍ଥଳ ଓ ସମୁଦ୍ର ପରିବେଶ ଉପରେ ପଡ଼ୁଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ଅନେକ ଥର ଜାତିସଂଘ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସେପରି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଆଗାମୀ ସମିଟ୍‌ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ କେତେ କଠୋର ପଦକ୍ଷେପ ନେବ ତାକୁ ନେଇ ସଂଶୟ ପ୍ରକାଶ ପାଇଛି। ଏହି ସମ୍ମିଳନୀ ପୂର୍ବରୁ ଚାପ ପକାଇବା ପାଇଁ ରବିବାର ବେଲଜିୟମ ରାଜଧାନୀ ବ୍ରସେଲ୍ସରେ ବିଶାଳ ଶୋଭାଯାତ୍ରା ବାହାରିଥିଲା।
ଜଳବାୟୁ ପରିବର୍ତ୍ତନ ବିରୋଧରେ ପଦକ୍ଷେପ ସମ୍ପର୍କରେ ଆଲୋଚନା ପାଇଁ ଚଳିତ ମାସ ଶେଷରେ ଗ୍ଲାସ୍‌ଗୋଠାରେ ଜାତିସଂଘ ଜଳବାୟୁ ସମିଟ୍‌ ଅନୁଷ୍ଠିତ ହେବାକୁ ଥିବାବେଳେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ରବିବାର ବ୍ରସେଲ୍ସରେ ହଜାର ହଜାର ଲୋକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ବିକ୍ଷୋଭ ଶୋଭାଯାତ୍ରାରେ ୮୦ଟି ସଂଗଠନ ଭାଗ ନେଇଥିଲେ। କରୋନା ମହାମାରୀ ଆରମ୍ଭ ହେବା ପରେ ୟୁରୋପୀୟ ୟୁନିୟନ ରାଜଧାନୀରେ ଏହା ସବୁଠୁ ବଡ଼ ବିକ୍ଷୋଭ ଶୋଭାଯାତ୍ରା। ଏଥିରେ ସାଇକେଲ ଚାଳକଙ୍କଠାରୁ ଆରମ୍ଭ କରି ପିଲାଛୁଆଙ୍କ ସହ ପରିବାର ସଦସ୍ୟ, ବୃଦ୍ଧ ଲୋକମାନେ ମଧ୍ୟ ଭାଗ ନେଇଥିବା ଦେଖାଯାଇଛି। ‘ଆମେ ଜଳବାୟୁ ନ୍ୟାୟ ଚାହୁଁ’ ବୋଲି ସେମାନେ ଇଂଲିଶ, ଫ୍ରେଞ୍ଚ ଓ ଡଚ୍‌ ଭାଷାରେ ସ୍ଲୋଗାନ ଦେଇଥିଲେ।
ଅକ୍ଟୋବର ୩୧ରୁ ଗ୍ଲାସ୍‌ଗୋରେ ସିଓପି୨୬ ନାମରେ ୨୬ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ମୁକାବିଲା ନେଇ ସେମାନଙ୍କ ନୀତି ଉପସ୍ଥାପନ କରିବେ। ତେବେ କାର୍ବନ ନିର୍ଗମନ କମାଇବା ଏବଂ ବିଶ୍ୱ ତାପନ ହ୍ରାସ କରିବା ଦିଗରେ ସେମାନେ ଯଥେଷ୍ଟ ପଦକ୍ଷେପ ନେଇ ନ ପାରନ୍ତି ବୋଲି ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ବେଲ୍‌ଜିୟମରେ ସର୍ବାଧିକ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇଥିବାରୁ ସେଠାରେ କରୋନା କଟକଣା କମାଇବା ଆରମ୍ଭ ହୋଇଛି। ସେଥିପାଇଁ ପରିବେଶ ସୁରକ୍ଷା ଲାଗି ଅନୁଷ୍ଠିତ ବିକ୍ଷୋଭ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଥିଲା।

Share