ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ: ଆମେରିକାକୁ ଚେତାବନୀ ଦେଇ ୨୦୨୪ ନୂଆବର୍ଷକୁ ସ୍ବାଗତ କଲେ କିମ…

ପ୍ୟୋଙ୍ଗୟାଙ୍ଗ,୧।୧ : ଉତ୍ତର କୋରିଆର ସର୍ବୋଚ୍ଚ ନେତା ତଥା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁରୁଣା ୨୦୨୩ ବର୍ଷକୁ ବିଦାୟ ଦେବା ସହିତ ୨୦୨୪ ବର୍ଷକୁ ସ୍ବାଗତ କରି ନୂଆ ଧମକ ଦେଇଛନ୍ତି। ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଅନୁଯାୟୀ କିମ ଜୋଙ୍ଗ ଉନ ଦକ୍ଷିଣ କୋରିଆ ଉପରେ ନୂଆ ଆଣବିକ ଆକ୍ରମଣ ପାଇଁ ଧମକ ଦେଇଛନ୍ତି। ଏହା ସହିତ ସେ ନିଜ ସେନାକୁ ଯେକୌଣସି ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଏବଂ ସାମରିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ବର୍ଷ ଶେଷରେ ଏକ ପାଞ୍ଚ ଦିନିଆ ପାର୍ଟି ସଭାରେ କିମ ଜୋଙ୍ଗ ଉନ ଏକ ଦୀର୍ଘ ଭାଷଣ ଦେଇଥିଲେ। ଏହି ସମୟରେ ସେ ଆମେରିକାକୁ କଡ଼ା ସମାଲୋଚନା କରିଥିଲେ।

କୋରିଆ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି (କେସିଏନଏ) ଅନୁଯାୟୀ ୨୦୨୪ ବର୍ଷ ପାଇଁ ସାମରିକ ବିକାଶ ଯୋଜନା ଘୋଷଣା କରାଯାଇଛି। ଏଥିରେ ତିନୋଟି ଗୁପ୍ତଚର ଉପଗ୍ରହ ଉତକ୍ଷେପଣ, ମାନବ ବିହୀନ ଡ୍ରୋନ ଉତ୍ପାଦନ, ବୈ ଦ୍ୟୁତିକ ଯୁଦ୍ଧ କ୍ଷମତା ବିକାଶ ଏବଂ ଆଣବିକ ତଥା କ୍ଷେପଣାସ୍ତ୍ର ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି।

କେସିଏନଏ ଅନୁଯାୟୀ କିମ ଜୋଙ୍ଗ ଉନ ଆମେରିକା ବିଭିନ୍ନ ପ୍ରକାରର ସାମରିକ ଧମକ ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି। ଯୁଦ୍ଧ ପ୍ରତିକ୍ରିୟା କ୍ଷମତା ବଜାୟ ରଖିବାକୁ ସେ ତାଙ୍କର ସଶସ୍ତ୍ର ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। କେକେଏନଏ କହିଛି ଉତ୍ତର କୋରିଆ ଉପରେ ଆକ୍ରମଣ କରିବାକୁ ଶତ୍ରୁଙ୍କ ବେପରୁଆ ପଦକ୍ଷେପ ଯେକୌଣସି ସମୟରେ କୋରିଆ ଉପମହାଦେଶରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିପାରେ। ଉତ୍ତର କୋରିଆର ଆକ୍ରୋଶକୁ ରୋକିବା ପାଇଁ ଆମେରିକା ଦକ୍ଷିଣ କୋରିଆ ବନ୍ଦର ସହର ବୁସାନରେ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ନିୟୋଜିତ କରିଛି। ଏହା ବ୍ୟତୀତ ଜାପାନ ଏବଂ ଦକ୍ଷିଣ କୋରିଆ ସହିତ ମିଳିତ ସମରାଭ୍ୟାସ କରାଯାଇଛି।

ମିଳିତ ଅଭ୍ୟାସରେ ଆମେରିକାର ବି -୫୨ ବିସ୍ଫୋରଣକାରୀ ଭଳି ରଣନୀତିକ ଅସ୍ତ୍ର ନିୟୋଜନକୁ ଆଣବିକ ଯୁଦ୍ଧର ଉଦ୍ଦେଶ୍ୟମୂଳକ ପଦକ୍ଷେପ ବୋଲି ଉତ୍ତର କୋରିଆ କହିଛି। କିମ କହିଛନ୍ତି, ଯେକୌଣସି ସମ୍ଭାବ୍ୟ ପରମାଣୁ ସଙ୍କଟକୁ ଶୀଘ୍ର ଜବାବ ଦେବାକୁ ସେନାକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଆମେ କାହାକୁ ଡରିବୁ ନାହିଁ। ଯୁଦ୍ଧ ପାଇଁ ଆମେ ସର୍ବଦା ପ୍ରସ୍ତୁତ ବୋଲି କହି କିମ ଆମେରିକାକୁ ଚେତାବନୀ ଦେଇଛନ୍ତି।

Share