ପର୍ଯ୍ୟାପ୍ତ ଟିକା ମିଳିଲେ ୩ ମାସରେ ସାରିଦେବୁ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା ହୋଇଛି। ଟେଣ୍ଡର ମାଧ୍ୟମରେ ୩ କୋଟି ୮୨ ଲକ୍ଷ ଡୋଜ୍‌ ଟିକା ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପର୍ଯ୍ୟାପ୍ତ ଟିକା ମିଳିଲେ ୩ ମାସରେ ସମସ୍ତଙ୍କୁ ଟିକାକରଣ ସରିଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ ଟିକାକରଣ ନେଇ ସେ କହିଛନ୍ତି, ରାଜ୍ୟରେ ପାଖାପାଖି ୯୮% ସ୍ବାସ୍ଥ୍ୟକର୍ମୀ ଟିକା ଦିଆଯାଇଛି। ରାଜ୍ୟର ୧୦୦ ପ୍ରତିଶତ କରୋନା ଯୋଦ୍ଧା ଟିକା ନେଇଛନ୍ତି। ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ୪୧ ପ୍ରତିଶତ ଟିକାକରଣ ସରିଛି। ଦ୍ୱତୀୟ ଡୋଜ୍‌ ଟିକାର ଅବଧି ବଢ଼ିଥିବାରୁ ଏବେ ସମସ୍ୟା ନାହିଁ। ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ୫ଟି ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯାଉଛି। ୬ଟି ଜିଲା ସଦର ମହକୁମାରେ ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାଦାନ ହେଉଛି। ସେଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ବରଗଡ଼, ଭବାନୀପାଟଣା, ନବରଙ୍ଗପୁର, କୋରାପୁଟରେ ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ହେଉଛି। ଟିକା ଯୋଗାଣ ବଢ଼ିଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Share