Posted inଜାତୀୟ

ସାଙ୍ଗରେ ମିଶି ଲଢ଼ିବୁ

ମୁମ୍ବାଇ,୨ା୯: ୨୦୨୪ ଲୋକ ସଭା ନିର୍ବାଚନ ଯେତେଦୂର ସମ୍ଭବ ଏକାଠି ଲଢ଼ିବା ପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୁମ୍ବାଇରେ ଅନୁଷ୍ଠିତ ବୈଠକର ଶେଷଦିନରେ ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ମେଣ୍ଟ ଭାରତ ଜନସଂଖ୍ୟାର ୬୦ ପ୍ରତିଶତର ପ୍ରତିନିଧିତ୍ୱ କରୁଛି। ବିରୋଧୀ ଏକାଠି ହେଲେ ନିର୍ବାଚନ ଜିତିବା ଭାଜପା ପାଇଁ ଅସମ୍ଭବ ହୋଇପଡ଼ିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସର୍ବାଧିକ ପ୍ରଭାବୀ ଢଙ୍ଗରେ ବିରୋଧୀ ନେତାମାନେ ଏକାଠି ହେବାକୁ କଂଗ୍ରେସ ନେତା ଆହ୍ବାନ ଦେଇଛନ୍ତି। ଦୁଇଦିନିଆ ମୁମ୍ବାଇ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୧୪ ଜଣିଆ କେନ୍ଦ୍ରୀୟ ସମନ୍ବୟ କମିଟି ଗଠନ ହୋଇଥିବାବେଳେ ସମସ୍ତ ଆସନ ଭାଗବଣ୍ଟା ଆଲୋଚନା ଓ ନିଷ୍ପତ୍ତି ଯଥାସମ୍ଭବ ଶୀଘ୍ର ନେବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଇଣ୍ଡିଆ ବ୍ଲକ୍‌ ଭାଜପାକୁ ପରାଜିତ କରିବ ବୋଲି ରାହୁଲ ଦୃଢ଼ତାର ସହ କହିଛନ୍ତି।
ଇଣ୍ଡିଆ ବ୍ଲକ୍‌ ମିତ୍ର ପରିବାରବାଦ ବିରୋଧରେ ଲଢ଼ି ପରାଜିତ କରିବ ବୋଲି ବୈଠକ ଶେଷରେ ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହିଛନ୍ତି। ସେ ଦୋସ୍ତି ପୁଞ୍ଜିବାଦକୁ ଲକ୍ଷ୍ୟ କରି ଏହା କହିଛନ୍ତି। ନିର୍ବାଚନ ଆସିଲେ ଭାଜପା ‘ସବ୍‌ କା ସାଥ୍‌ ସବ୍‌କା ବିକାଶ’ ସ୍ଲୋଗାନ ଦେଇଥାଏ। କିନ୍ତୁ ନିର୍ବାଚନ ଶେଷ ହେବା ପରେ ତାହା ‘ସବ୍‌କୋ ଲାତ୍‌ ମିତ୍ରୋଁ କା ବିକାଶ’ରେ ବଦଳିଯାଇଥାଏ ବୋଲି ଉଦ୍ଧବ କହିଛନ୍ତି। ଇଣ୍ଡିଆ ମେଣ୍ଟ ଏହା ହେବାକୁ ଦେବ ନାହିଁ। ଏକ ଭୟହୀନ ଭାରତ ଗଠନ ଲାଗି ବିରୋଧୀ ମେଣ୍ଟ ଲଢ଼େଇ କରିବ ବୋଲି ଶିବସେନା (ୟୁବିଟି) ମୁଖ୍ୟ କହିଛନ୍ତି।
ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମେଣ୍ଟକୁ ଭାଜପା ‘ଘମଣ୍ଡିଆ’ କହିଥିବାରୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର ସମାଲୋଚନା କରିଛନ୍ତି। ଶାସକ ଦଳର ମନ୍ତବ୍ୟ ଏହାର ଅହଂକାରର ପ୍ରତିଫଳନ। ଦେଶବାସୀଙ୍କ ଆଗରେ ଇଣ୍ଡିଆ ମେଣ୍ଟ ଏକ ନିର୍ଭରଯୋଗ୍ୟ ବିକଳ୍ପ ବୋଲି ପାଓ୍ବାର କହିଛନ୍ତି। ମୁମ୍ବାଇର ଗ୍ରାଣ୍ଡ ହୟାଟ୍ଟରେ ଅନୁଷ୍ଠିତ ବୈଠକରେ ୨୮ଟି ରାଜନୈତିକ ଦଳର ୬୮ ନେତା ଯୋଗଦେଇଥିଲେ। ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକରେ ସବୁ ଠିକ୍‌ଠାକ ଚାଲିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ବଡ଼ ମତପାର୍ଥକ୍ୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ବୈଠକରେ ନିର୍ବାଚନ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ମତପାର୍ଥକ୍ୟ ଯୋଗୁ ରାଜନୈତିକ ପ୍ରସ୍ତାବକୁ ବାଦ୍‌ ଦେବାକୁ ପଡ଼ିଥିଲା। ମୁଖ୍ୟତଃ ଜାତି ଜନଗଣନା ଦାବିକୁ ଏଥିରେ ସାମିଲ କରିବାକୁ ନେଇ ବିରୋଧୀ ନେତାମାନେ ଭିନ୍ନ ମତ ଦେଇଥିଲେ। ଜେଡିୟୁ, ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଜାତି ଜନଗଣନା ପାଇଁ ଦାବି କରିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଅନ୍ୟ ନେତାମାନେ ଏହାକୁ ବିରୋଧ କରିଥିଲେ। ସୂଚନାଯୋଗ୍ୟ, ଜୁଲାଇରେ ଅନୁଷ୍ଠିତ ବିରୋଧୀ ମେଣ୍ଟର ଦ୍ୱିତୀୟ ବୈଠକରେ ଜାତି ଜନଗଣନା କାର୍ଯ୍ୟକାରୀ କରିବା ଲାଗି ଏକ ମିଳିତ ସଂକଳ୍ପ ହୋଇଥିଲା।
୧୪ ଜଣିଆ ସମନ୍ବୟ କମିଟି ଗଠନ
୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟ ଶୁକ୍ରବାର ୧୪ ଜଣିଆ ସମନ୍ବୟ କମିଟି ଗଠନ କରିଛି। ୧୪ଟି ବିଭିନ୍ନ ଦଳରୁ ସଦସ୍ୟଙ୍କୁ କମିଟିରେ ନିଆଯାଇଛି। ତେବେ ମେଣ୍ଟର ରାଷ୍ଟ୍ରୀୟ ଆବାହକ ପଦ ପାଇଁ ଦୌଡ଼ରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କମିଟିରେ ରଖାଯାଇ ନାହିଁ। ସେହିପରି ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍‌ରିଓ୍ବାଲ, ମମତା ବାନାର୍ଜୀ, ମଲ୍ଲିକାର୍ଜୁନ ଖାର୍ଗେ, ଉଦ୍ଧବ ଠାକ୍‌ରେଙ୍କୁ ମଧ୍ୟ ସମନ୍ବୟ କମିଟିରେ ନିଆଯାଇ ନାହିଁ। ଉକ୍ତ କମିଟିରେ କଂଗ୍ରେସରୁ କେ.ସି. ବେଣୁଗୋପାଳ ଥିବାବେଳେ ଏନ୍‌ସିପିରୁ ଶରଦ ପାଓ୍ବାର, ଡିଏମ୍‌କେରୁ ଟି.ଆର୍‌. ବାଲୁ ଏବଂ ଏମ୍‌.କେ. ଷ୍ଟାଲିନ, ଶିବସେନା (ୟୁବିଟି)ରୁ ସଞ୍ଜୟ ରାଉତ, ଆର୍‌ଜେଡିରୁ ତେଜସ୍ବୀ ଯାଦବ, ଟିଏମ୍‌ସିରୁ ଅଭିଷେକ ବାନାର୍ଜୀ, ଏଏପିରୁ ରାଘବ ଚଢ଼ା, ସମାଜବାଦୀ ପାର୍ଟିରୁ ଜାଭେଦ ଅଲି ଖାନ୍‌, ଜେଡିୟୁରୁ ଲଲନ ସିଂ, ସିପିଆଇରୁ ଡି. ରାଜା, ନ୍ୟାଶନାଲ କନ୍‌ଫରେନ୍ସରୁ ଓମାର ଅବଦୁଲ୍ଲା ଏବଂ ପିଡିପିରୁ ମେହବୁବା ମୁଫ୍‌ତି ସଦସ୍ୟ ରହିଛନ୍ତି।
କପିଲ ସିବଲଙ୍କ ପ୍ରବେଶକୁ ନେଇ ଡ୍ରାମାବାଜି
ଗତବର୍ଷ ମେ’ ୧୬ରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ଶୁକ୍ରବାର ବିରୋଧୀ ମେଣ୍ଟ ବୈଠକରେ ଅବାଞ୍ଛତ୍ତ ପ୍ରବେଶକୁ ନେଇ ଡ୍ରାମାବାଜି ଦେଖିବାକୁ ମିଳିଥିଲା। ବୈଠକରେ ଉପସ୍ଥିତ କଂଗ୍ରେସ ନେତାମାନେ ସିବଲଙ୍କ ପ୍ରବେଶକୁ ବିରୋଧ କରିଥିଲେ। ବିନା ଆମନ୍ତ୍ରଣରେ ସେ ବୈଠକରେ ପହଞ୍ଚତ୍ବାକୁ ନେଇ ପୂର୍ବତନ ସହକର୍ମୀମାନଙ୍କୁ କ୍ଷୁବ୍ଧ କରିଥିଲା। ବିରୋଧୀ ନେତାମାନଙ୍କ ଫଟୋ ସେସନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳ ସିବଲଙ୍କ ଉପସ୍ଥିତିକୁ ନେଇ ବୈଠକର ଆୟୋଜକ ଶିବସେନା(ୟୁବିଟି)ର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ନିକଟରେ ଆପତ୍ତି ଉଠାଇଥିଲେ। ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏଥିରେ ହସ୍ତକ୍ଷେପ କରି ସିବଲଙ୍କ ଉପସ୍ଥିତିକୁ ଗ୍ରହଣ କରିନେବାକୁ ବେଣୁଗୋପାଳଙ୍କୁ ବୁଝାଇଥିଲେ। ସ୍ବାଧୀନ ରାଜ୍ୟ ସଭା ସଦସ୍ୟ ସିବଲ ଶେଷରେ ଫଟୋ ସେସନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ

ଇନ୍ଦୋର,୨୭ା୧୦: ମଧ୍ୟପ୍ରଦେଶର ରତଲାମ ଜିଲାରେ ରବିବାର ସନ୍ଧ୍ୟାରେ ଏକ ଡିଜେଲ ଇଲେକ୍ଟ୍ରିକାଲ୍‌ ମଲ୍ଟିପ୍ଲ ୟୁନିଟ୍‌ (ଡେମୁ) ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ...

ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ

ଚେନ୍ନାଇ,୨୭।୧୦: ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ତାମିଲନାଡୁର ଚର୍ଚ୍ଚିତ ଅଭିନେତା ଥାଲପଥି ବିଜୟ ରବିବାର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧନ କରିଛନ୍ତି। ଏଠାରେ ସେ ନିଜ...

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri