Categories: ଜାତୀୟ

କୃଷକ ଆନ୍ଦୋଳନକୁ ପୂରିଲା ୬ ମାସ: କଳା ଦିବସ ପାଳିଲେ ଚାଷୀ

ନୂଆଦିଲ୍ଲୀ/ଚଣ୍ଡିଗଡ଼, ୨୬।୫: ବିବାଦୀୟ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ବୁଧବାର ୬ ମାସ ପୂରିଛି। ଏହି ଅବସରରେ କୃଷକ ସଂଗଠନ ପକ୍ଷରୁ ଦେଶରେ କଳାଦିବସ ପାଳନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚାଷୀମାନେ କଳାପତାକା ଧରି ସରକାର ବିରୋଧୀ ସ୍ଲୋଗାନ ଦେବା ସହ କୁଶପୁତ୍ତଳିକା ଦାହ କରିଥିଲେ। ଦିଲ୍ଲୀ ସୀମାର ଗାଜିପୁର ବିକ୍ଷୋଭ ସ୍ଥଳୀରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥାଇ ମଧ୍ୟ ଚାଷୀମାନେ କେନ୍ଦ୍ର ସରକାରଙ୍କ କୁଶପୁତ୍ତଳିକା ଦାହ କଲା ବେଳେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେହିପରି ସିଙ୍ଘୁ ଓ ଟିକ୍ରି ସୀମାରେ ମଧ୍ୟ ନୂତନ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ କେନ୍ଦ୍ର ନେତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। କୋଭିଡ୍‌ ସ୍ଥିତି ଏବଂ ଲକ୍‌ଡାଉନ ଚାଲିଥିବାରୁ ଚାଷୀମାନଙ୍କୁ ଏକାଠି ନ ହେବା ଲାଗି ଦିଲ୍ଲୀ ପୋଲିସ ବାରଣ କରିବା ସତ୍ତ୍ୱେ ବହୁ ସଂଖ୍ୟାରେ କୃଷକ ସମ୍ମିଳିତ ହୋଇ କଳାଦିବସ ପାଳନ କରିଥିଲେ।
ସେହିପରି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ମଧ୍ୟ ଚାଷୀମାନେ କଳାଦିବସ ପାଳନ କରିଛନ୍ତି। ସେମାନେ ଘର ଉପରେ କଳାପତାକା ଉଡ଼ାଇଥିଲେ। ହରିୟାଣାର ଭିଓ୍ବାନି ଗ୍ରାମରେ ଚାଷୀମାନେ ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାରଙ୍କ କୁଶପୁତ୍ତଳିକା ପୋଡ଼ି ଥିଲେ। କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତବର୍ଷ ନଭେମ୍ବର ୨୬ରୁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଛି। ବାରମ୍ବାର ଆଲୋଚନା ସତ୍ତ୍ୱେ କେନ୍ଦ୍ର ସରକାର କୃଷକ ସଂଗଠନଗୁଡ଼ିକର ଦାବିକୁ ଗ୍ରହଣ କରୁନାହାନ୍ତି।

Share