ନୂଆଦିଲ୍ଲୀ,୧୫।୫: ଦେଶରେ ଲୋକ ସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଶେଷ ହୋଇଛି। ଆଉ ୩ ପର୍ଯ୍ୟାୟର ଭୋଟିଂ ବାକି ଅଛି। ଏମିତିରେ ସମସ୍ତ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଉଛି। ତେବେ ୫ମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଲକ୍ଷ୍ନୌରେ ‘ଇଣ୍ଡିଆ’ ମେଣ୍ଟ ଖବରଦାତା ସମ୍ମିଳନୀ କରି ବଡ଼ ପ୍ରତିଶ୍ରୁତି ଦେଇଛି। ଆମ ସରକାର ଆସିଲେ ଗରିବଙ୍କୁ ୫ କିଲୋ ବଦଳରେ ୧୦ କିଲୋର ରାଶନ ମାଗଣାରେ ମିଳିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି।
ଗରିବଙ୍କ ଲାଗି ଲଢ଼ିବା ବିଷୟରେ ଖାର୍ଗେ କହିଛନ୍ତି, ମୁଁ ଗରିବ ପରିବାରରୁ ଆସିଛି। ଲଢ଼େଇ କରିବା ଜାଣିଥିବାରୁ ଏଯାଏ ଜୀବିତ ଅଛି। ବହୁତ ଥର ନିର୍ବାଚନ ଲଢ଼ିଛି। ଅନେକେ ଥର ଜିତିଛି। ୨୦୨୪ ନିର୍ବାଚନ ଗଣତନ୍ତ୍ର ଏବଂ ସମ୍ବିଧାନକୁ ରକ୍ଷା କରିବା ଲାଗି ହେଉଛି। ଗୋଟିଏ ପଟେ ଗରିବଙ୍କ ପାଇଁ ସ୍ବର ଉଠାଉଥିବା ଦଳ ସହ ଧନୀଙ୍କ ସହ ରହୁଥିବା ଦଳ ଅଛନ୍ତି। ‘ଇଣ୍ଡିଆ’ ମେଣ୍ଟ ଗରିବଙ୍କ ଲାଗି ନିର୍ବାଚନ ଲଢ଼ୁଛନ୍ତି। ଏଣୁ ଦଳ ଜିତିଲେ ୫ କିଲୋ ନୁହେଁ ବରଂ ପ୍ରତି ମାସରେ ୧୦ କିଲୋ ରାସନ ଦିଆଯିବ ବୋଲି ସେ କହିଛନ୍ତି।