ଆମେ ମାଓବାଦୀ ସଂଗଠନରେ ଯୋଗଦେବୁ

କେନ୍ଦୁଝର,୨୯ା୧୧(ସ୍ବ.ପ୍ର.): ଆମକୁ ପୋଲିସ ନ୍ୟାୟ ଦେଉନାହିଁ। ପକ୍ଷପାତିତା କରି ଆକ୍ରମଣକାରୀଙ୍କୁ ନ ଧରି ଆମକୁ ଗିରଫ କରୁଛି। ଏଣୁ ଆମେ ସୁରକ୍ଷିତ ନାହୁଁ। ନ୍ୟାୟ ମିଳୁ ନ ଥିବାରୁ ମାଓବାଦୀ ସଂଗଠନରେ ଯୋଗଦେବାକୁ ଯାଉଛୁ। ଏଭଳି କହିଛନ୍ତି ଯୋଡ଼ା ଥାନା ଅନ୍ତର୍ଗତ ବନେଇକଳା ହୁଡ଼ିସାହିର ଦଳିତ ସମ୍ପ୍ରଦାୟର ରିକି ରାମ ଓ ଛଟୁ ରାମ। ଆମେ ୪ ଜଣ ଲାଲ ବାହିନୀରେ ଯୋଗଦେବାକୁ ଯାଉଛୁ ଲେଖା ଥିବା ପ୍ଲାକାର୍ଡ ଧରି ସୋମବାର ପ୍ରତିବାଦ କରିଥିଲେ। କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଘଟଣାର ତଦନ୍ତ କରିବାକୁ ବଡ଼ବିଲ ଏସ୍‌ଡିପିଓଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ୨୦୨୧ରେ ସ୍ଥାନୀୟ ଅଞ୍ଚଳର ୪୯ରୁ ଊର୍ଦ୍ଧ୍ୱ ଲୋକ ଘରେ ପଶି ରିକି ଓ ଛଟୁଙ୍କୁ ମାରପିଟ କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ ଶୁଣୁ ନାହିଁ। ଓଲଟି ଉକ୍ତ ଘଟଣାରେ ତାଙ୍କୁ ଗିରଫ କରାଯାଇଥିବା ଉଭୟେ କହିଛନ୍ତି। କିନ୍ତୁ ଆକ୍ରମଣକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଣୁ ଆକ୍ରମଣକାରୀମାନେ ସବୁବେଳେ ଭୟଭୀତ କରୁଥିବାରୁ ସେମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ନ୍ୟାୟ ନ ମିଳିଲେ ବାଧ୍ୟ ହୋଇ ପରିବାର ସହ ମାଓବାଦୀ ସଂଗଠନରେ ଯୋଗଦେବେ ବୋଲି ସେମାନେ କହିଛନ୍ତି। ଏ ନେଇ ଯୋଡ଼ା ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ କହିଛନ୍ତି, ସେମାନଙ୍କ ଏତଲାକୁ ଭିତ୍ତିକରି ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ଅଭିଯୋଗ ମିଥ୍ୟା ବୋଲି ଜଣାପଡ଼ିଥିଲା। କୌଣସି ପକ୍ଷପାତିତା କିମ୍ବା ଅନ୍ୟାୟ କରାଯାଇନାହିଁ ବୋଲି ସେ କହିଥିଲେ।

Share