Categories: ଜାତୀୟ

ସମ୍ପର୍କକୁ ହିମାଳୟ ଉଚ୍ଚତାକୁ ନେବା ଲାଗି ପ୍ରୟାସ କରିବୁ: ମୋଦି

ନୂଆଦିଲ୍ଲୀ, ୨ା୬: ଭାରତ ଓ ନେପାଳ ମଧ୍ୟରେ ରହିଥିବା ସୀମା ପ୍ରସଙ୍ଗ ସମେତ ସବୁ ବିଷୟର ସମାଧାନ କରି ଦ୍ୱିପାକ୍ଷିକ ସମ୍ପର୍କକୁ ହିମାଳୟ ଉଚ୍ଚତାକୁ ନେଇଯିବା ଲାଗି ଉଭୟ ଦେଶ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। ନୂଆଦିଲ୍ଲୀ ଗସ୍ତରେ ଆସିଥିବା ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ଏହା କହିଥିଲେ। ଭବିଷ୍ୟତରେ ସମ୍ପର୍କକୁ ଅସାଧାରଣ ସଫଳତା ଦେବା ଲାଗି ଉଭୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଲୋଚନା ପରେ ମୋଦି ଓ ପ୍ରଚଣ୍ଡ କେତେକ ଭିତ୍ତିଭୂମି ପ୍ରକଳ୍ପକୁ ମିଳିତ ଭାବେ ଶୁଭାରମ୍ଭ କରିଥିଲେ। ବାଣିଜ୍ୟ, ଶକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ପାଇଁ ଦୁଇ ଦେଶ ମଧ୍ୟରେ ୭ ରାଜିନାମା ସ୍ବାକ୍ଷରିତ ହୋଇଛି।
ଭାରତର ରୁପାଇଡିହା ଏବଂ ନେପାଳର ନେପାଲଗଞ୍ଜଠାରେ ସମନ୍ବିତ ଚେକ୍‌ପୋଷ୍ଟକୁ ଦୁଇ ନେତା ଭର୍ଚୁଆଲ ଉଦ୍‌ଘାଟନ କରିଥିଲେ। ବିହାରର ବାଥନାହାରୁ ନେପାଳର କଷ୍ଟମ ୟାର୍ଡକୁ ଏକ ମାଲ୍‌ବାହୀ ଟ୍ରେନ୍‌ର ଚଳାଚଳକୁ ଶୁଭାରମ୍ଭ କରାଯାଇଛି। ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବଢ଼ାଇବା ଲାଗି ରାମାୟଣ ସର୍କିଟ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ଲାଗି ଦୁଇ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

Share