Categories: ଜାତୀୟ

ଦେଶରେ ଘୃଣା ସୃଷ୍ଟି ହେବାକୁ ଦେବୁ ନାହିଁ: ସୁରଜେୱାଲା

ନୂଆଦିଲ୍ଲୀ,୨୯।୧: ‘ଭାରତ ଯୋଡୋ ଯାତ୍ରା’ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗରର ଲାଲ ଚୌକରେ ତ୍ରିରଙ୍ଗା ଉଡାଇଛନ୍ତି। ରାହୁଲ ତ୍ରିରଙ୍ଗା ଉଡାଇବା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ ମଧ୍ୟ ଟାର୍ଗେଟ କରିଛି। କଂଗ୍ରେସର ବରିଷ୍ଠ ନେତା ରଣଦୀପ ସିଂ ସୁରଜେୱାଲା କହିଛନ୍ତି, ଆଜି ଦେଶରେ ଘୃଣା ଓ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଥିପାଇଁ ସେ ମୋଦି ସରକାର ଦାୟୀ। ଲାଲଚୌକଠାରୁ ତ୍ରିରଙ୍ଗା ଉତ୍ତୋଳନ କରି ଆମେ ଦେଖାଇଛୁ ଯେ ଘୃଣା, ବିଭାଜନ କାମ କରିବ ନାହିଁ। ଏହି ଦେଶରେ କେବଳ ପ୍ରେମ ଏବଂ ଭାଇଚାରା କାମ କରିବ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମନର ଚୋରକୁ ଦେଖିନେବା ଉଚିତ୍‌। ତେବେ ସେ ଜାଣିବେ କିଏ ଦେଶରେ ଘୃଣା ସୃଷ୍ଟି କରୁଛି ଏବଂ କିଏ ଦେଶ ବିଭାଜନ କରୁଛି।

ଉଲ୍ଲେଖନୀୟ କଥା ହେଉଛି, ଲାଲ ଚୌକ ପରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ସହରର ନେହେରୁ ପାର୍କ ଆଡ଼କୁ ଗତି କରିଛି। ଏଠାରେ ଜାନୁଆରୀ ୩୦ରେ ୪,୦୮୦ କିଲୋମିଟର ଲମ୍ବା ପଦଯାତ୍ରା ଶେଷ ହେବ। ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ସେପ୍ଟେମ୍ବର ୭ରେ ଆରମ୍ଭ ହୋଇ ଦେଶର ୭୫ଟି ଜିଲା ଦେଇ ଯାଇଛି।

Share