Categories: ଜାତୀୟ

ସୀମା ଅତିକ୍ରମ କରିବାରେ କୁଣ୍ଠାବୋଧ କରିବୁ ନାହିଁ: ରାଜନାଥ

ଗୁଆହାଟୀ,୨୪।୪: ସୀମା ଆରପଟୁ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରିବୁ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର କହିଛନ୍ତି। ଗୁଆହାଟୀଠାରେ ୧୯୭୧ ଭାରତ-ପାକ୍‌ ଯୁଦ୍ଧର ସୈନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଉଦ୍‌ବୋଧନ ଦେଇ ରାଜନାଥ କହିଥିଲେ, ସରକାର ଦେଶରୁ ଆତଙ୍କବାଦର ମୂଳପୋଛ ପାଇଁ କାର୍ଯ୍ୟ କରୁଛନ୍ତି। ଭାରତ ଉପରେ ଆକ୍ରମଣ ପାଇଁ ଚିନ୍ତା କରୁଥିବା ସୀମାପାର ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇ ସେ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ସୀମା ଅତିକ୍ରମ କରିବାରେ କୁଣ୍ଠାବୋଧ କରିବ ନାହିଁ। ପୂର୍ବରୁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଆମେ ଆତଙ୍କବାଦୀଙ୍କୁ କଡ଼ା ବାର୍ତ୍ତା ଦେଇଛୁ। ପଡୋଶୀ ବାଂଲାଦେଶ ସହ ଉତ୍ତମ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବାରୁ ପୂର୍ବ ସୀମା ଶାନ୍ତ ଓ ସ୍ଥିର ରହିଛି। ସେହିପରି ପଶ୍ଚିମ ସୀମାରେ ମଧ୍ୟ ଏବେ ଉତ୍ତେଜନା ନାହିଁ। ଅନୁପ୍ରବେଶ ସମସ୍ୟା ଏକପ୍ରକାର ଶେଷ ହୋଇଛି। ନିକଟରେ ଉତ୍ତରପୂର୍ବାଞ୍ଚଳର ବିଭିନ୍ନ ଭାଗରୁ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପ୍ରତ୍ୟାହାର ହୋଇଥିବାବେଳେ ସେଭଳି ସ୍ଥିତିି ଆସିଲେ ଜମ୍ମୁ-କଶ୍ମୀରରୁ ତାହା ଉଚ୍ଛେଦ ହେବ ବୋଲି ରାଜନାଥ କହିଛନ୍ତି।

Share