‘ଶେଷ ପର୍ଯ୍ୟନ୍ତ ହଟିବୁ ନାହିଁ’

ଅଟାଓ୍ବା, ୧୪ା୨: କୋଭିଡ୍‌ ଟିକାକରଣ ବାଧ୍ୟତାମୂଳକ କରାଯିବା ଏବଂ କରୋନା କଟକଣା ବିରୋଧରେ କାନାଡାରେ ପ୍ରାୟ ୩ ସପ୍ତାହ ହେଲା ଆନ୍ଦୋଳନ ଜାରି ରହିଛି। ‘ଫ୍ରିଡମ୍‌ କନ୍‌ଭେ’ ନାମରେ ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଟ୍ରକର୍ସ ସେମାନଙ୍କ ଗାଡ଼ି ଧରି ସାମିଲ ହୋଇଛନ୍ତି। କାନାଡା ଏବଂ ଆମେରିକାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ବ୍ରିଜ୍‌ ଆମ୍ବାସାଡରକୁ ଆନ୍ଦୋଳନକାରୀ ୬ ଦିନ ହେଲା ଅବରୋଧ କରି ରଖିଛନ୍ତି। ସେଠାରୁ ରାସ୍ତାରୋକୋ ହଟାଇବାକୁ ଶନିବାର କାନାଡାର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେମାନେ ଜିଦ୍‌ରେ ଅଟଳ ରହିଛନ୍ତି। କୋଭିଡ୍‌ କଟକଣା ଯୋଗୁ ରୋଜଗାର ଯାଇଛି। ଦାରିଦ୍ର୍ୟତା ଯୋଗୁ ସମାଜରୁ ବିତାଡ଼ିତ ହେବା ସହ ଆଉ କିଛି ହରାଇବାକୁ ବାକି ନାହିଁ। ତେଣୁ ସମସ୍ୟା ନ ଶୁଣାଗଲେ ଜୀବନର ଶେଷ ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଆନ୍ଦୋଳନରେ ସାମିଲ ହୋଇଥିବା କେତେଜଣ ଟ୍ରକ୍‌ ଚାଳକ କହିଛନ୍ତି।
କାନାଡା ପୋଲିସର ହସ୍ତକ୍ଷେପ ପରେ ଆମେରିକା-କାନାଡା ସୀମା ନିକଟ ଉକ୍ତ ବ୍ୟସ୍ତବହୁଳ ବ୍ରିଜ୍‌ରେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିଲେ ହେଁ ରାଜଧାନୀ ଅଟାଓ୍ବା ସମେତ ଅନ୍ୟ ସହରରେ ଆନ୍ଦୋଳନ ଥମିବାର ନାଁ ଧରୁନି। ଅଟାଓ୍ବାରେ ୪ ହଜାରରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀ ଜମା ହୋଇଛନ୍ତି। ରାସ୍ତା ଉପରେ ସେମାନେ ଉଚ୍ଚ ଭଲ୍ୟୁମ୍‌ରେ ଗୀତ ବଜାଇବା ସହ ବାଧ୍ୟତାମୂଳକ ଟିକାକରଣ ବିରୋଧୀ ନାରା ଦେଉଛନ୍ତି। ଶହ ଶହ ସଂଖ୍ୟାରେ ଟ୍ରକ୍‌ ସେଠାରେ ଛିଡ଼ା ହୋଇଛି। ପୋଲିସ ରାସ୍ତାରେ ବାରିକେଡ୍‌ ଲଗାଇ ଅଧିକ ଗାଡ଼ିକୁ ରାଜପଥକୁ ନ ଆସିବାକୁ ବ୍ୟବସ୍ଥା କରିଛି। ସମାନ ଧରଣର ଆନ୍ଦୋଳନ ଫ୍ରାନ୍ସ, ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ୍‌ସରେ ମଧ୍ୟ ଦେଖିବାକୁ ମିଳିଛି। ପ୍ୟାରିସ୍‌ରେ ଏହି ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହ ଶତାଧିକଙ୍କ ଉପରେ ଜରିମାନା ଲଗାଇଛି। ଏହାସହ ସେଠାରେ ବିକ୍ଷୋଭ ଉପରେ କଟକଣା ଲଗାଯାଇଛି। ଶନିବାର ସୁଦ୍ଧା ୩୩୭ ଜଣଙ୍କଠାରୁ ଜରିମାନା ଆଦାୟ ସହ ୫୪ ଜଣଙ୍କୁ ଗିରଫ କରାଯାଇଛି।

 

Share