ସରକାର ଗଢ଼ିବାର ୬ଘଣ୍ଟାରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବୁ

କଟକ,୧୬ା୫(ଶିଳ୍ପା ପ୍ରିୟଦର୍ଶିନୀ)ଓଡ଼ିଶାରେ ଏଥର ଭାଜପା ନିଶ୍ଚିତ ସରକାର ଗଠନ କରିବ ବୋଲି ଭାଜପାର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ବୁଧବାର କଟକରେ ରୋଡ୍‌ ଶୋ’ କରିବା ଅବସରରେ ଶାହା କହିଛନ୍ତି, ଭାଜପା ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ଘଣ୍ଟା ମଧ୍ୟରେ ପୁରୀ ଶ୍ରୀମନ୍ଦିର ୪ଦ୍ୱାର ଖୋଲିବ। ଏପରି କି ୧ମାସ ମଧ୍ୟରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ। ଏଥିସହିତ ଚିଟ୍‌ଫଣ୍ଡ ଲୁଟେରା ଜେଲ ଯିବେ। ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ରାଜ୍ୟ ସରକାର ସହଯୋଗ କରୁ ନାହାନ୍ତି। ୧୮ମାସ ମଧ୍ୟରେ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ। ଏଠାରେ ଗତ ୨୪ବର୍ଷ ଧରି ବିଜେଡିର ସ୍ଥିର ସରକାର ଥାଇ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ବିକାଶ ହୋଇପାରି ନାହିଁ। ତେଣୁ ଏଥର ଓଡ଼ିଶାରେ ଭାଜପା ସରକାର ହେବ ବୋଲି ଶାହା ଦୃଢ଼ୋକ୍ତି ପ୍ରକାଶ କରିବା ସହ ଭାଜପା ଲୋକ ସଭା ଏବଂ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଲୋକମାନଙ୍କୁ ନିବେଦନ କରିଥିଲେ। ଅପରାହ୍ନ ସାଢ଼େ ୫ଟାରେ ଶାହାଙ୍କ ରୋଡ ଶୋ’ ଗୋପବନ୍ଧୁ ଛକନିକଟରୁ ବାହାରି ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ଗୌରୀ ଶଙ୍କର ପାର୍କ, ନୟାସଡ଼କ ପର୍ଯ୍ୟନ୍ତ ଯାଇଥିଲା। ଏହି ସମୟରେ ଶାହାଙ୍କ ସହିତ କଟକ ଲୋକ ସଭା ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏବଂ କଟକ ବାରବାଟୀ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଚୌଦ୍ୱାର-କଟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି, କଟକ-ସଦର ପ୍ରାର୍ଥୀ ପ୍ରକାଶ ସେଠୀ, ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ରୋଡ ଶୋ’ ସମୟରେ ରାସ୍ତାର ଉଭୟ ପାଶର୍‌ବରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା। ଶାହାଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ୨୧ ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇଥିବାବେଳେ ୧୫୦ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଥିଲା। ଶାହା ଭୁବନେଶରରୁ ସଡ଼କ ପଥରେ କଟକ ଆସି ଏହି ରୋଡ ଶୋ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Share