Categories: ଜାତୀୟ

ମଣିପୁରରେ ଭାରତର ବିଚାରଧାରା ପୁନଃ ପ୍ରତିଷ୍ଠା କରିବୁ: ରାହୁଲ

ନୂଆଦିଲ୍ଲୀ,୨୬ା୭: ବିରୋଧୀ ମେଣ୍ଟର ନୂଆ ନାଁ ‘ଇଣ୍ଡିଆ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଜୋର୍‌ଦାର ବର୍ଷିଛନ୍ତି। ଉକ୍ତ ନାଁକୁ ପରିହାସ କରି ‘ଇଷ୍ଟ ଇଣ୍ଡିଆ କମ୍ପାନୀ’ ଏବଂ ଆତଙ୍କବାଦୀ ସଂଗଠନ ‘ଇଣ୍ଡିଆନ ମୁଜାହିଦ୍ଦିନ’ ଓ ‘ପିପୁଲ୍ସ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ’ରେ ମଧ୍ୟ ଇଣ୍ଡିଆ ଶବ୍ଦ ରହିଥିବା କହିଥିଲେ। ଏଭଳି ଦିଶାହୀନ ବିରୋଧୀଙ୍କୁ ସେ କେବେ ଦେଖି ନ ଥିବା ପ୍ରଧାନମନ୍ତ୍ରୀ ଭାଜପା ସଂସଦୀୟ ଦଳର ସାପ୍ତାହିକ ବୈଠକରେ କହିଥିଲେ। ସୂଚନାଯୋଗ୍ୟ, ୨୦୨୪ ଲୋକ ସଭା ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା ଲାଗି ଗତ ସପ୍ତାହରେ ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳ ଏକାଠି ହୋଇଥିବାବେଳେ ସେମାନଙ୍କ ମେଣ୍ଟର ନାମ ଇଣ୍ଡିଆ (ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲିଆନ୍ସ) ରଖିଥିଲେ। ଇଣ୍ଡିଆ ନାଁ ବ୍ୟବହାର କରିବାରେ କିଛି ମିଳିବ ନାହିଁ। ଦେଶର ନାଁ ବ୍ୟବହାର ଦ୍ୱାରା ଜନସାଧାରଣ ବିଭ୍ରାନ୍ତ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଭାଜପା ନେତା ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ବିରୋଧୀ ପରାଜିତ, କ୍ଳାନ୍ତ ଏବଂ ନିରାଶ। ସେଥିପାଇଁ ମୋଦିଙ୍କୁ ବିରୋଧ କରିବା ସେମାନଙ୍କର ଏକମାତ୍ର ଏଜେଣ୍ଡା। ଏଥିରୁ ସେମାନେ ବିରୋଧୀ ହୋଇ ରହିବା ଲାଗି ମନସ୍ଥିର କରିଥିବା ସେମାନଙ୍କ ଆଚରଣରୁ ଜଣାପଡ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବିରୋଧୀ ମେଣ୍ଟକୁ ଆପଣ ଯାହା କୁହନ୍ତୁ, କିନ୍ତୁ ଆମେ ‘ଇଣ୍ଡିଆ’। ମଣିପୁର ସମସ୍ୟା ସମାଧାନ କରିବାରେ ଓ ପ୍ରତ୍ୟେକ ମହିଳା ଓ ଶିଶୁଙ୍କ ଆଖିରୁ ଲୁହ ପୋଛିବାରେ ଆମେ ସହାୟତା କରିବୁ ବୋଲି ରାହୁଲ କହିଛନ୍ତି। ମଣିପୁରରେ ଭଲ ପାଇବା ଓ ଶାନ୍ତି ଫେରାଇ ଆମେ ଇଣ୍ଡିଆ ବିଚାରଧାରା ପୁନଃପ୍ରତିଷ୍ଠା କରିବୁ ବୋଲି ରାହୁଲ ଟୁଇଟ୍‌ କରିଥିଲେ।

Share