‘ମୋଦିଙ୍କ ହୋର୍ଡିଂ କାଢ଼ିବୁ’

ଭୁବନେଶ୍ୱର, ୧୮ା୨(ବ୍ୟୁରୋ): ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧିକୁ ନେଇ ପ୍ରତିବାଦ କରାଯାଇଛି। ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ଅଭିନବ ଉପାୟରେ (କାର୍‌, ମୋଟର ସାଇକେଲ୍‌କୁ ଠେଲି ଠେଲି) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଅଭିମୁଖେ ବାହାରି ତାଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ପୋଲିସ ସହ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଅବସରରେ ସ୍ମୃତି ରଞ୍ଜନ କହିଛନ୍ତି, ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବିଭାଗରେ ସମ୍ପୂଣ୍ଣ ବିଫଳ ହୋଇଥିବା ପ୍ରମାଣିତ ହୋଇଛି। ଆସନ୍ତା ୫ ଦିନ ଭିତରେ ଯଦି ପେଟ୍ରୋଲ, ଡିଜେଲ ଦର ନିୟନ୍ତ୍ରଣ ନ ହେଲେ ଯୁବ କଂଗ୍ରେସ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ଜନସାଧରଣଙ୍କ ଟିକସରେ ପ୍ରଚାର ପ୍ରସାର ଉଦ୍ଦ୍ୟେଶରେ ଲାଗିଥିବା ନରେନ୍ଦ୍ର ମୋଦିଙ୍କ ହୋର୍ଡିଂକୁ ଖୋଲିବ ଏବଂ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଆଇନ୍‌କୁ ହାତକୁ ନେବାକୁ ପଛଘୁଞ୍ଚା ଦେବନାହିଁ ବୋଲି ସ୍ମୃତି କହିଛନ୍ତି। ଅର୍ନ୍ତଜାତୀୟ ବଜାରରେ ତେଲ ଦର ବ୍ୟାରେଲ୍‌ ପିଛା ୫୦ ଡଲାର ଥିବାବେଳେ କିପରି ଏହା ବଜାରରେ ପ୍ରାୟ ୯୦ ଟଙ୍କାରେ ବିକ୍ରି ହେଉଛି। ଏଥିରୁ ଜଣାପଡୁଛି ଉଭୟ ସରକାର ଲୋକଙ୍କୁ ଟିକସ ବାବଦରେ ଲୁଟୁଛନ୍ତି। ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି। ବିଗତ ମାସେ ଭିତରେ ଗ୍ୟାସ ଦର ୧୫୦ ଟଙ୍କା ବୃଦ୍ଧି ପାଇ ୮୫୦ ଟଙ୍କାରେ ପହଞ୍ଚିଛି।

Share