ପାଟନା,୨୧।୯: ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ବୁଧବାର ଭାଜପାକୁ ଟାର୍ଗେଟ କରିଛନ୍ତି। ଆରଜେଡି ରାଜ୍ୟ ପରିଷଦ ବୈଠକରେ ସେ କହିଛନ୍ତି, ଅନେକ ଦଳ ନିଜ ଆଦର୍ଶରୁ ଓହରି ଭାଜପା ସହ ବୁଝାମଣା କରନ୍ତି। କିନ୍ତୁ ମୁଁ କେବେ ନଇଁ ନାହିଁ, କି ନଇଁବି ନାହିଁ। ମୁଁ ମୋର ଆଦର୍ଶ ଉପରେ ଦୃଢ ଭାବରେ ଠିଆ ହୋଇଛି। ଭାଜପା ଆମର ସବୁଠୁ ବଡ ଶତ୍ରୁ, ଯଦି ନଇଁଥା’ନ୍ତି, ତେବେ ମୁଁ ଏତେ ଦିନ ଜେଲରେ ନ ଥା’ନ୍ତି।
ଲାଲୁ ଆହୁରି ମଧ୍ୟ କହିଛନ୍ତି, ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ନୀତୀଶ କୁମାରଙ୍କ ସହ ଶୀଘ୍ର ଦିଲ୍ଲୀ ଯିବି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପରେ ରାହୁଲଙ୍କୁ ମଧ୍ୟ ଭେଟିବି। ଆମେ ୨୦୨୪ରେ ଭାଜପା ସରକାରକୁ ହଟାଇ ଦେବୁ।
ଏହି ସମୟରେ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି ଯେ, ୨୦୨୪ରେ ୪୦ ଆସନ ବିଶିଷ୍ଟ ଗ୍ରାଣ୍ଡ ଆଲାଇନ୍ସ ଜିତିଇବା ଆମର ଲକ୍ଷ୍ୟ। ଏଥିପାଇଁ ଆମକୁ ଲୋକଙ୍କ ସହ ଯୋଡି ହେବାକୁ ପଡିବ।
ସୂଚନାଯୋଗ୍ୟ, ଗତ ମାସରେ ବିହାରରେ ନୀତୀଶ କୁମାର ଭାଜପା ହାତ ଛାଡି ଆରଜେଡି ସହ ମିଶି ସରକାର ଗଢିଥିଲେ। ଏହା ପରଠାରୁ ନୀତୀଶ ସାରା ଦେଶରେ ଭାଜପା ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ଏହି କ୍ରମରେ ସେ ଦେଶର ଅନେକ ନେତାଙ୍କୁ ଭେଟି ଭାଜପା ହଟାଇବା ପାଇଁ ଏକତ୍ର ହେବାକୁ ଆହ୍ବାନ ଦେଇଛନ୍ତି।