ଭାରତ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ସୀମା ବିବାଦର ସମାଧାନ କରିବୁ: ଚାଇନା

ବେଜିଂ,୨୮।୭:ଭାରତ ସହିତ ଚାଲିଥିବା ସୀମା ବିବାଦ ସମ୍ପର୍କରେ ଆମେରିକା ହସ୍ତକ୍ଷେପ କରିବାକୁ ଚାଇନା ପସନ୍ଦ କରୁନାହିଁ। ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆମେରିକା ଏଥିରେ ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ। ଉଭୟ ପଡୋଶୀ ଦେଶ ଦ୍ୱିପାକ୍ଷିକ ଭାବରେ ଏହି ସମସ୍ୟାର ସମାଧାନ କରିବେ। ଚାଇନା ଏହା ମଧ୍ୟ କହିଛି ସୀମା ବିବାଦରେ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତା କରିବାକୁ ଭାରତ ଚାହୁଁ ନାହିଁ। ତେବେ ଚାଇନାର ଏହି ବିବୃତ୍ତି ଉପରେ ଭାରତ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ପ୍ରକାଶ କରି ନାହିଁ।
ଲଦାଖ ଅଞ୍ଚଳରେ ଚାଇନା ନିର୍ମାଣ କାର୍ଯ୍ୟକୁ ଭାରତ ଦୃଢ ବିରୋଧ କରିଛି। ଅନ୍ୟ ପଡୋଶୀ ଦେଶମାନଙ୍କ ସହିତ ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡିକ ଚାଇନାର ବିସ୍ତାରବାଦୀ ପଦକ୍ଷେପକୁ ବିରୋଧ କରୁଛନ୍ତି। ଏ ବାବଦରେ ଚାଇନା ଉପରେ ଚାପ ବଢୁଛି।
ଚୀନ୍ର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ୱୁ କିୟାନ କହିଛନ୍ତି, କେତେକ ଆମେରିକୀୟ ରାଜନେତା ‘ଦମନ’ ଶବ୍ଦର ବ୍ୟବହାରରେ ଅଭ୍ୟସ୍ତ ହୋଇଯାଇଛନ୍ତି ଯେ ସେମାନେ ଭୁଲିଯାଉଛନ୍ତି ଯେ ଆମେରିକା ହେଉଛି ‘ଚାପ କୂଟନୀତି’ର ଉଦ୍ଭାବକ ତଥା ବଡ ଖେଳାଳି। ଚାଇନା କାହା ଉପରେ ଚାପ ପକାଉ ନାହିଁ କିମ୍ବା କାହାର ଚାପରେ ନାହିଁ। ଆମେରିକାର ଚାପ କୂଟନୀତିକୁ ଚାଇନା ଦୃଢ ବିରୋଧ କରୁଛନ୍ତି। ଭାରତ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ସୀମା ବିବାଦର ସମାଧାନ କରିବୁ ବୋଲି ସେ କହିଛନ୍ତି।

Share