Categories: ଜାତୀୟ

ଅଯୋଧ୍ୟାରୁ ନୂଆ ଶକ୍ତି ନେଇ ମହାରାଷ୍ଟ୍ର ଫେରିବୁ: ଶିନ୍ଦେ

ଅଯୋଧ୍ୟା,୧୦ା୪: ଶିବସେନା ଏବଂ ଭାଜପାର ଚିନ୍ତାଧାରା ସମାନ। ଆସନ୍ତା ବର୍ଷ ସମଗ୍ର ମହାରାଷ୍ଟ୍ରରେ ଦୁଇ ଦଳର ଗୈରିକ ପତାକା ଉଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଅଯୋଧ୍ୟାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗତ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଗସ୍ତ କରିଥିବା ଶିବସେନା ମୁଖ୍ୟ ଶିନ୍ଦେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଆମ ଦଳର ଭୂମିକା ସ୍ପଷ୍ଟ। ଆମ ବିଚାରଧାରା ହିନ୍ଦୁତ୍ୱ। ଆମେ ଅଯୋଧ୍ୟାରୁ ନୂଆ ଶକ୍ତି ନେଇ ମହାରାଷ୍ଟ୍ର ଫେରିବୁ ଓ ଲୋକଙ୍କ ସେବା କରିବୁ। ୨୦୨୪ରେ ଶିବସେନା ଏବଂ ଭାଜପାର ଗୈରିକ ପତାକା ରାଜ୍ୟ ସାରା ଉଡ଼ିବ। ମହାରାଷ୍ଟ୍ରରେ କେତେଜଣ ବ୍ୟକ୍ତି ଅଛନ୍ତି, ଯାହାଙ୍କର ହିନ୍ଦୁତ୍ୱ ପ୍ରତି ଆଲର୍ଜି ରହିଛି। କାରଣ ହିନ୍ଦୁତ୍ୱ ସାରା ଦେଶରେ ପହଞ୍ଚତ୍ଲେ ସେମାନଙ୍କ ଦୋକାନ ବନ୍ଦ ହୋଇଯିବ ବୋଲି ପରୋକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଶିନ୍ଦେ ଟାର୍ଗେଟ କରିଥିଲେ।

ପ୍ରକାଶ ଯେ, ୨୦୨୪ରେ ଏକକାଳୀନ ଲୋକ ସଭା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଅଯୋଧ୍ୟାରେ ଶିନ୍ଦେଙ୍କ ରୋଡ୍‌ ଶୋ’ ବେଳେ ଉତ୍ତର ପ୍ରଦେଶର ଅନେକ ହଜାର ଶିବସୈନିକ ସାମିଲ ହୋଇଥିଲେ। ରାମଲାଲାଙ୍କୁ ଦର୍ଶନ କରି ମନ୍ଦିର ନିର୍ମାଣ କାର୍ଯ୍ୟ ଦେଖିବା ପରେ ଶିନ୍ଦେ କହିଥିଲେ, ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଠାକ୍‌ରେ ଏବଂ ବହୁ କୋଟି ରାମଭକ୍ତଙ୍କ ସ୍ବପ୍ନ ସାକାର ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ମହାରାଷ୍ଟ୍ର ଚାଷୀଙ୍କୁ ଅସୁବିଧାରେ ପକାଇ ଶିନ୍ଦେ ଓ ଫଡ୍‌ନବିସ ଅଯୋଧ୍ୟା ଗସ୍ତ କରିଥିବାରୁ ସେମାନଙ୍କୁ ରାଜ୍ୟବାସୀ କ୍ଷମା କରିବେ ନାହିଁ ବୋଲି ଉଦ୍ଧବଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି ପକ୍ଷରୁ ସମାଲୋଚନା କରାଯାଇଛି।

Share