ସାଲେପୁର,୪।୪(ଡି.ଏନ୍.ଏ.): କଟକ ଜିଲା ସାଲେପୁର ବ୍ଲକ ଅଧୀନ ଓଡାସିଂହ ପଞ୍ଚାୟତ ସ୍ଥିତ ଯତୀନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବଞ୍ଚିତ କରାଯାଇଛି। ଏହାର ପ୍ରତିବାଦରେ ସୋମବାର ଛାତ୍ରୀଛାତ୍ର ଏବଂ ଅଭିଭାବକ ବିଦ୍ୟାଳୟ ସମ୍ମୁଖ ଫାଟକରେ ତାଲା ପକାଇ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
ଛାତ୍ରୀଛାତ୍ରଙ୍କ ଅଭିଯୋଗ ମୁତାବକ, ଦୀର୍ଘ ବର୍ଷ ହେଲା ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହେଉଥିଲା। ହେଲେ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରରୁ ଉକ୍ତ ବିଦ୍ୟାଳୟକୁ ବାଦ ଦିଆଯାଇଛି। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପରୀକ୍ଷା କେନ୍ଦ୍ର ହୋଇପାରି ନ ଥିବା ଅଭିଯୋଗ ହୋଇଛି।
ଗଣଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ଅପରପକ୍ଷେ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବଞ୍ଚିତ ହେବା ଘଟଣାରେ ବିଦ୍ୟାଳୟର କୌଣସି ଭୂମିକା ନାହିଁ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ଓଝା କହିଛନ୍ତି। ଘଟଣାର ପୁନଃ ବିଚାର ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ସେ କହିଛନ୍ତି।